fbpx

ଆଲବିନିଜିମ୍ କ’ଣ? ଏହି ରୋଗ କିପରି ହୁଏ, ଏହାର ଲକ୍ଷଣ, କାରଣ, ପ୍ରତିରୋଧ ଏବଂ ଚିକିତ୍ସା ଜାଣନ୍ତୁ

Advertisement

ଆଲବିନିଜିମ୍ ହେଉଛି ଏକ ପ୍ରକାର ଡ଼ିସଅର୍ଡର, ଯାହାକୁ ରଙ୍ଗହୀନତା ମଧ୍ୟ କୁହାଯାଏ । ଏହି ରୋଗ ହେତୁ ଚର୍ମର ରଙ୍ଗ ସଂପୂର୍ଣ୍ଣ ବଦଳିଯାଏ । ଏପରି ପରିସ୍ଥିତିରେ, ବେଳେବେଳେ ଲୋକମାନେ ଏହି ରୋଗରେ ପୀଡିତ ଲୋକଙ୍କୁ ଭେଦଭାବ କରିବା ଆରମ୍ଭ କରନ୍ତି । ଏହି କାରଣରୁ ଏହି ରୋଗ ବିଷୟରେ ସଚେତନ ହେବା ଜରୁରୀ ଅଟେ ।

ମଣିଷର ରଙ୍ଗ ତାହାର ଚର୍ମ ଯୋଗୁ ହୋଇଥାଏ ଏବଂ ଚର୍ମର ରଙ୍ଗ ଏଥିରେ ଥିବା ରଙ୍ଗ କଣିକା ‘ମେଲାନିନ୍‌’ ଦ୍ୱାରା ହୋଇଥାଏ। ଆମେ କେଉଁ ତ୍ୱଚାର ହେବା ତାହା ମାତାପିତାଙ୍କଠାରୁ ଆସିଥିବା ଗୁଣସୂତ୍ର ହିଁ ସ୍ଥିର କରିଥାଏ। ଆଲବିନିଜମ୍‌ (ଶ୍ୱେତ ଚର୍ମ) ଏକ ବିରଳ, ଅଣସଂକ୍ରାମ, ଜିନ୍‌ ଦ୍ୱାରା ସଂକ୍ରମିତ ହେଉଥିବା ଚର୍ମର ରଙ୍ଗ କଣିକାର ଏକ ପ୍ରକାର ରୋଗ ଏବଂ ଅବସ୍ଥା।

ଏଥିପାଇଁ ଉଭୟ ମାତା ଏବଂ ପିତାଙ୍କର ଗୁଣସୂତ୍ର ହିଁ ଦାୟୀ। ଅନେକ ସମୟରେ ମାତାପିତାଙ୍କ ‘ଆଲବିନିଜମ’ ନ ଥାଇ ମଧ୍ୟ ପିଲାମାନଙ୍କୁ ହୋଇଥାଏ। ଏହି ପିଗ୍‌ମେଣ୍ଟ ବା ରଙ୍ଗ କଣିକାର ଅଭାବ ଚର୍ମ ସହିତ କେଶ, ଚକ୍ଷୁରେ ମଧ୍ୟ ଦେଖାଦେଇଥାଏ। ଏହି ଅବସ୍ଥା କେତେକ ଦେଶରେ ପ୍ରତି ୧୭,୦୦୦ରୁ ୨୦,୦୦୦ ଲୋକଙ୍କ ମଧ୍ୟରୁ ମାତ୍ର ଜଣଙ୍କଠାରେ ଦେଖାଦେଇଥାଏ। ହେଲେ ଆଫ୍ରିକାର କେତେକ ଦେଶରେ ୧୦୦୦ରୁ ୧୪୦୦ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳେ। ମେଲାନିନ୍‌, ଯାହା ଆମର ଚର୍ମକୁ ସୂର୍ଯ୍ୟକିରଣ ଓ ବାହ୍ୟ କ୍ଷତିରୁ ରକ୍ଷା ଦେଇଥାଏ, ଆଲବିନିଜମ୍‌ କ୍ଷେତ୍ରରେ ଏହାର ଅଭାବ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ଚର୍ମ କର୍କଟ ବା ସ୍କିନ୍‌ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ଥାଏ।

ଆଲବିନିଜମ୍‌ରେ ଟାଇରୋସେନେଜ୍‌ ଜିନ୍‌ରେ ବ୍ୟତିକ୍ରମ ଯୋଗୁ ମେଲାନିନ୍‌ ତିଆରି ହୋଇପାରି ନ ଥାଏ। ଏଥିଯୋଗୁ ଚର୍ମ ଓ କେଶ ଶ୍ୱେତ ବର୍ଣ୍ଣ ହୋଇଥାଏ। ଆଖିର ଆଇରିଶ (କନନିକା) ଓ ରେଟିନାରେ ମଧ୍ୟ ମେଲାନିନ୍‌ କଣିକାର ଅଭାବ ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ସହିତ ଉଜ୍ଜ୍ୱଳ ଆଲୋକ ଦେଖିଲା ବେଳେ କଷ୍ଟ ହୋଇଥାଏ। ‘ପି'(P) ଜିନ୍‌ର ବ୍ୟତିକ୍ରମ ଯୋଗୁ ଦ୍ୱିତୀୟ ପ୍ରକାର ଆଲବିନିଜମ୍‌ ହୋଇଥାଏ, ଯାହାକି ପ୍ରଥମ ପ୍ରକାର ଆଲବିନିଜମ୍‌ଠାରୁ କମ୍‌ ମାତ୍ରାରେ ହୋଇଥାଏ। ତେଣୁ ଆଲବିନିଜମ୍‌କୁ ‘ଚକ୍ଷୁଚର୍ମ ଆଲବିନିଜମ୍‌’ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ। ଯେହେତୁ ଏହା ‘ମେଲୋନୋମା’ ଓ ସ୍କାମ୍‌ସ ସେଲ୍‌ କାର୍ସିନୋମା ପରି ଚର୍ମ କର୍କଟର ଆଶଙ୍କା ଥାଏ।

ଦେଶରେ ପୂର୍ବକାଳରେ ଆଲବିନୋମାନଙ୍କୁ ବ୍ୟଙ୍ଗ ବିଦ୍ରୂପ କରାଯାଉଥିଲା। ଏପରି କି ଆକ୍ରମଣ କରି ମାରି ଦିଆଯାଉଥିଲା ଏବଂ ଭୂତ-ଡାହାଣୀର ପ୍ରତୀକ ବୋଲି କୁହାଯାଉଥିଲା। ହେଲେ କାଳକ୍ରମେ ଆଉ ଏହା ନାହିଁ। ସେଥିପାଇଁ ଆଲବିନିଜମ୍‌ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୧୩ ତାରିଖକୁ ‘ଅନ୍ତର୍ଜାତୀୟ ଆଲବିନିଜମ୍‌ ସଚେତନତା ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଉକ୍ତ ଦିବସର ସ୍ଲୋଗାନ୍‌ ରହିଛି ‘୧୦ବର୍ଷର ଆନ୍ତର୍ଜାତିକ ସଚେତନତା ଦିବସ : ଆଲବିନିଜମ୍‌ ପାଇଁ ସ୍ନେହ ଉନ୍ନତି’। ଏହି ଦିବସ ୨୦୧୪ରେ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ୧୯୦୮ରେ ଡା. ଏ.ଇ. ଗ୍ରାରଡ୍‌ ଆଲବିନିଜମ୍‌ ଅବସ୍ଥା ବିଷୟରେ ବର୍ଣ୍ଣନା ଓ ବ୍ୟାଖ୍ୟା କରିଥିଲେ। ଆଲବିନିଜମ୍‌କୁ ମଧ୍ୟ ‘ହାଇପିଗମେଣ୍ଟେସନ’ ବୋଲି କୁହାଯାଏ। ଏପରି ସମସ୍ୟା ଥିଲେ ସୂର୍ଯ୍ୟ ତାପ ଓ ସୂର୍ଯ୍ୟ କିରଣରୁ ରକ୍ଷା କରିବା ବ୍ୟତୀତ ଶରୀରକୁ ଆବୃତ୍ତ ବାହ୍ୟ ତାପ ତଥା ଅନ୍ୟ କ୍ଷତିକାରକ କିରଣଠାରୁ ଶରୀରକୁ ଦୂରେଇ ରଖନ୍ତୁ। କୌଣସି ଚର୍ମ କ୍ଷତ, ଟ୍ୟୁମର, ଘା’ ପରୀକ୍ଷା କରି ସଙ୍ଗେ ସଙ୍ଗେ ଚିକିତ୍ସା କରିବା ଆବଶ୍ୟକ।

Get real time updates directly on you device, subscribe now.