fbpx

କ’ଣ ଏହି ନାର୍କୋ ଟେଷ୍ଟ ? ଯେଉଁ କାରଣରୁ ସବୁ ସତ କହେ ଅପରାଧୀ, ଟେଷ୍ଟ ପାଇଁ କାହିଁକି ଜରୁରୀ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ପ୍ରତ୍ୟେକ ଦିନ କିଛି ନାଁ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହାରି ମଧ୍ୟକେ ଶ୍ରଦ୍ଧାକୁ ହତ୍ୟା କରିଥିବା ଆରୋପି ଅଫତାବର ପୋଲିସ କଷ୍ଟଡିକୁ କୋର୍ଟ ଆଉ ୫ ଦିନ ବଢାଇ ଦେଇଛନ୍ତି । ଏଥିସହିତ ତାର ନାର୍କୋ ଟେଷ୍ଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନାର୍କୋ ଟେଷ୍ଟ ପ୍ରକୃତରେ କ’ଣ । କାହିଁକି ଏହି ଟେଷ୍ଟରେ ଜଣେ ଆରୋପି ସତ କହିଥାଏ ଏବଂ ଏହି ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି କାହିଁକି ଜରୁରୀ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ବିଷୟରେ…

କ’ଣ ଏହି ନାର୍କୋ ଟେଷ୍ଟ: ନୋର୍କ ଟେଷ୍ଟ ହେଉଛି ଏକ ପ୍ରକାର ରାସାୟନିକ ପଦାର୍ଥ । ଯାହାକୁ ଇଞ୍ଜେକସନ ମାଧ୍ୟମରେ ଆରୋପିକୁ ଦିଆଯାଇଥାଏ । ଏହାକୁ ଟ୍ରୁଥ୍ ସେରମ୍ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଟ୍ରୁଥ ସେରମ୍ ସୋଡ଼ିୟମ ପେଣ୍ଟୋଥାଲ୍, ସ୍କୋପୋଲାମାଇନ୍ କିମ୍ବା ସୋଡ଼ିୟମ ଆମିଟାଲ୍ ହୋଇପାରେ । ଯାହା ରକ୍ତରେ ମିଶିବା ପରେ ଅଭିଯୁକ୍ତ ଜଣକ ସାମୟିକ ଭାବରେ ହିପ୍ନୋଟିକ୍ ସ୍ଥିତି ବା ନିଶାସକ୍ତ ସ୍ଥିତିକୁ ଚାଲିଯାଏ ଏବଂ ନିଜର ଆତ୍ମଚେତନା ଉପରୁ ନିଜର ନିୟନ୍ତ୍ରଣ ହରାଇଥାଏ । ଫଳରେ ବିନା କୌଣସି ଦ୍ୱିଧାରେ ସେ ସତ କହିବା ଆରମ୍ଭ କରିଥାଏ । ତେଣୁ ଏହି ନାର୍କୋ ଟେଷ୍ଟକୁ ସମସ୍ତ ଅପରାଧୀ ବହୁତ ଭୟ କରିଥାନ୍ତି ।

କୋର୍ଟରୁ ଆଣିବାକୁ ପଡେ ଅନୁମତି: କୌଣସି ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ପ୍ରଥମେ କୋର୍ଟରୁ ଅନୁମତି ଆଣିବାକୁ ହୋଇଥାଏ । କୋର୍ଟର ଅନୁମତି ବିନା ଏହି ଟେଷ୍ଟ ହୋଇପାରିବ ନାହିଁ । ତେବେ କୋର୍ଟର ଅନୁମତି ବିନା କୌଣସି ଅପରାଧୀର ନାର୍କୋ ଟେଷ୍ଟ କରିବା ଏକ ଅପରାଧ ହୋଇଥାଏ । ଏଥିସହିତ ଅପରାଧୀର ଲିଙ୍ଗ, ବୟସ, ସ୍ୱାସ୍ଥ୍ୟାବସ୍ଥା ଓ ଶାରିରୀକ ସ୍ଥିତିକୁ ଦେଖି ଏହି ଟେଷ୍ଟ ବା ଟ୍ରୁଥ୍ ସେରମ୍‌ର ଡୋଜ୍ ନିର୍ଦ୍ଧାରଣ କରାଯାଏ । ଏହି ଡୋଜ ଏତେ ଭୟଙ୍କର ଯେ, ଯଦି ଏହାକୁ ସଠିକ୍ ମାତ୍ରାରେ ଦିଆନଯାଏ ତାହାଲେ ଅଭିଯୁକ୍ତକ କୋମାକୁ ଚାଲିଯାଇପାରେ କିମ୍ବା ତାର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଅଭିଯୁକ୍ତର ମାନସିକ ଓ ଶାରିରୀକ ସ୍ଥିତି ପରଖିବା ପାଇଁ ନାର୍କୋଟେଷ୍ଟ ବେଳେ କାର୍ଡିଓ କଫ୍ ଓ ସେନ୍‌ସିଟିଭ୍ ଇଲେକ୍ଟ୍ରୋଡ୍ ଆଦି ବ୍ୟବହାର କରାଯାଏ । ଏଥିସହିତ ଅଭିଯୁକ୍ତର ରକ୍ତଚାପ, ହୃଦସ୍ପନ୍ଦନ, ଶ୍ୱାସକ୍ରିୟାର ଗତି ଏବଂ ସ୍ୱେଦଗ୍ରନ୍ଥି ଉପରେ ମଧ୍ୟ ଡାକ୍ତର ନଜର ରଖିଥାନ୍ତି ।

କାହିଁକି ହୁଏ ନାର୍କୋ ଟେଷ୍ଟ: ତେବେ ଏହି ଟେଷ୍ଟ ପାଇଁ ଉକ୍ତ ଅଭିଯୁକ୍ତର ମଧ୍ୟ ସହମତି ରହିବା ଜରୁରୀ ହୋଇଥାଏ । ଏହି ନାର୍କୋ ଟେଷ୍ଟ ପୋଲିସକୁ ଆନୁସଙ୍ଗିକ ପ୍ରମାଣ ଯୋଗାଡ଼ କରିବାରେ ସହାୟତା କରେ । ତେଣୁ ଅଧିକ ପ୍ରମାଣ ଏବଂ ଅପରାଧୀ ଲୁଚାଉଥିବା ସତକୁ ଜାଣିବା ପାଇଁ ଏପରି କରାଯାଇଥାଏ । ତେବେ ପୂର୍ବରୁ ମଧ୍ୟ ଅନେକ ଅପରାଧୀମାନଙ୍କର ଏହି ଟେଷ୍ଟ ହେଇଥିବା ଦେଖିବାକୁ ମିଳିଛି । ଆରୁଷି ତଲଓ୍ୱାର୍ ହତ୍ୟା ମାମଲା, ୨୦୦୭ ହାଇଦ୍ରାବାଦ ଟ୍ୱିନ୍ ବ୍ଲାଷ୍ଟ୍, ନିଠାରୀ ହତ୍ୟାକାଣ୍ଡ, ଷ୍ଟାମ୍ପ ପେପର୍ ସ୍କାମ୍ ଓ ମୁମ୍ବାଇ ଆକ୍ରମଣରେ ଆତଙ୍କୀ କସାବକୁ ଆଦିକୁ ନାର୍କୋ ଟେଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.