କାରଖାନା ଏବଂ ନିର୍ମାଣରେ ମହିଳାମାନଙ୍କର ଯୋଗଦାନ କେତେ? ସର୍ଭେରେ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନୀ କଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଦେଶରେ କାରଖାନା, ଖୁଚୁରା ଏବଂ ନିର୍ମାଣ କ୍ଷେତ୍ରରେ ଶାରୀରିକ ଶ୍ରମରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ମହିଳାଙ୍କ ଯୋଗଦାନ ମାତ୍ର ୨୦ ପ୍ରତିଶତ । ସେମାନେ ମଜୁରୀ ବିସଙ୍ଗତି ଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ କଠିନ କର୍ମକ୍ଷେତ୍ର ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହୁଅନ୍ତି ।

ଚାକିରି ସନ୍ଧାନ ପ୍ଲାଟଫର୍ମ ‘ଇଣ୍ଡିଡ୍’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଦର୍ଶାଉଛି ଯେ, ୨୦୨୪ ମସିହାରେ ୭୩ ପ୍ରତିଶତ ନିଯୁକ୍ତିଦାତା ଶାରୀରିକ ଶ୍ରମ ସହିତ ଜଡିତ ‘ବ୍ଲୁ -କଲାର’ ଭୂମିକା ପାଇଁ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ଯେତେବେଳେ ସାରା ଦେଶରେ ମହିଳାଙ୍କ ଅଂଶଗ୍ରହଣ ୨୦ ପ୍ରତିଶତରେ ସ୍ଥିର ରହିଛି ।

କେଉଁ କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ କେତେ?
ଖୁଚୁରା, ସ୍ୱାସ୍ଥ୍ୟ ଏବଂ ଔଷଧ, ନିର୍ମାଣ ଏବଂ ରିଅଲ୍ ଇଷ୍ଟେଟ୍, ଯାତ୍ରା ଏବଂ ହୋଟେଲ ଭଳି ଶିଳ୍ପଗୁଡ଼ିକ ହାରାହାରି ୩୦ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ସହିତ ଅଗ୍ରଣୀ ଅଛି । ସେହି ସମୟରେ, ଟେଲିକମ୍, ବିଏଫଏସଆଇ (ବ୍ୟାଙ୍କ, ଆର୍ôଥକ ସେବା ଏବଂ ବୀମା) ଏବଂ ଆଇଟି/ଆଇଟି-ସମ୍ବନ୍ଧିତ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ।

ସର୍ଭେରେ ସାମିଲ ହୋଇଥିବା ଅଧାରୁ ଅଧିକ ମହିଳା ନମନୀୟ କାର୍ଯ୍ୟ ଘଣ୍ଟାର ଅଭାବକୁ ଏକ ପ୍ରତିବନ୍ଧକ ବୋଲି କହିଛନ୍ତି । ‘ବ୍ଲୁ -କଲାର’ ଚାକିରିରେ କାର୍ଯ୍ୟ ସମୟରେ ନମନୀୟତାର ଅଭାବ ମହିଳାମାନଙ୍କ ପାଇଁ କାମ ଏବଂ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା କଷ୍ଟକର କରିଥାଏ । ୪୨ ପ୍ରତିଶତ ମହିଳା ବିଶ୍ୱାସ କରନ୍ତି ଯେ ସେମାନଙ୍କୁ ପୁରୁଷ ସହକର୍ମୀଙ୍କ ତୁଳନାରେ କମ୍ ଦରମା ଦିଆଯାଏ ।

ନିଯୁକ୍ତିଦାତାମାନେ କ’ଣ ବିଚାର କରନ୍ତି?
ନିଯୁକ୍ତିଦାତାମାନେ ବିଶ୍ୱାସ କରନ୍ତି ଯେ ଦକ୍ଷ ଏବଂ ଉପଯୁକ୍ତ ପ୍ରତିଭାର ଅଭାବ ଏବଂ ଉଚ୍ଚ ଅବ୍ୟାହତି ହାର ମହିଳାମାନଙ୍କୁ ନିଯୁକ୍ତି ଦେବାରେ ପ୍ରମୁଖ ପ୍ରତିବନ୍ଧକ । ସ୍ୱାସ୍ଥ୍ୟସେବାର ବୃଦ୍ଧି ପାଉଥିବା ମୂଲ୍ୟ ମଧ୍ୟ ଏକ ଚ୍ୟାଲେଞ୍ଜ । ମହିଳାମାନେ ବୀମା ଏବଂ ବେତନପ୍ରାପ୍ତ ଚିକିତ୍ସା ଛୁଟିକୁ ଗୁରୁତ୍ୱପୂର୍ଣ୍ଣ କର୍ମକ୍ଷେତ୍ର ଆଶା ଭାବରେ ଦେଖନ୍ତି ।