fbpx

କେମିତି ରହିବ ଭାରତର ଭବିଷ୍ୟତର ରାଜନୀତି: ପାଞ୍ଚ ବର୍ଷ ପରେ କେଉଁ ଦଳ ଖସିବ କେଉଁ ଦଳ ଉଠିବ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାରେ ରହିଛି । ଅନ୍ୟପକ୍ଷରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏବେ ଶୋଚନୀୟ ଅବସ୍ଥାରେ ରହିଛି । ତେବେ ଏଭଳି ସ୍ଥିତିରେ ବିରୋଧୀ ଶିବିରରେ ତୃଣମୂଳ କଂଗ୍ରେସ (ଟିଏମସି), ଆମ ଆଦମୀ ପାର୍ଟି (ଆପ), ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭଳି ଦଳମାନେ ରହିଛନ୍ତି । ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଯଦିଓ ପୂର୍ବାନୁମାନ କରିବା କଷ୍ଟକର, ତଥାପି ବିଜେପି ପୁନଃ କ୍ଷମତା ହାସଲ କରିବ ବୋଲି ପାଣିପାଗ ସ୍ଥିତିରୁ ସ୍ପଷ୍ଟ ଜଣାପଡ଼ୁଛି ।

ଗୋଟିଏ ପଟେ ବିଜେପି କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଥିବା ବେଳେ ଅନ୍ୟପଟେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ନିକଟରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ନେବା ପରେ ତାଙ୍କ ଉପରେ ଅନେକ ଚ୍ୟାଲେଞ୍ଜ ରହିଛି । ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବା ତ ଦୂରର କଥା, ଯଦି ୨୦୧୯ର ସିଟ ସଂଖ୍ୟାକୁ ବୃଦ୍ଧି କରିପାରିବେ ତେବେ ତାହା ମଧ୍ୟ ଦଳ ପାଇଁ ବଡ଼ କଥା ହେବ ।

ତେବେ ଏପରି ସ୍ଥିତିରେ ଯଦି ଆମେ ପୁଣି ପାଞ୍ଚବର୍ଷ ଆଗକୁ ଅର୍ଥାତ ୨୦୨୯ କଥା ବିଚାର କରିବା ତେବେ ସେ ସମୟରେ ଭାରତବର୍ଷର ରାଜନୀତି କିପରି ରହିଥିବ ତାହା କହିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର ହେବ । ହୁଏତ ସେ ସମୟରେ ବିଜେପିର ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ବା ବୃଦ୍ଧି ଦେଖିବାକୁ ମିଳିପାରେ । ହୁଏତ କଂଗ୍ରେସ ନିଜର ପୂର୍ବ ଗୌରବ ଫେରି ପାଇପାରେ । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଓ ନୀତିଶ କୁମାରଙ୍କ ପରି ହେଭିୱେଟଙ୍କ ମଧ୍ୟରୁ ହୁଏତ କେହି ଜାତୀୟ ରାଜନୀତିରେ ବିଜେପିଙ୍କୁ କଡ଼ା ଟକ୍କର ଦେଇ ପାରନ୍ତି । ଏପରି ବି ହୋଇପାରେ, ଜାତୀୟ ରାଜନୀତିରେ ଜଣେ ନୂଆ ନେତାଙ୍କର ହଠାତ୍ ଆବିର୍ଭାବ ହୋଇପାରେ । ତେବେ ସମାଜର ସ୍ୱାର୍ଥକୁ ଆଖି ଆଗରେ ରଖି ଯଦି ଜନତା ରାଜନେତାଙ୍କୁ ଚୟନ କରନ୍ତି, ତେବେ ତାହା ଭବିଷ୍ୟତର ଗଣତନ୍ତ୍ର ପାଇଁ ହିତକର ସାବ୍ୟସ୍ତ ହେବ ।

ଲୋକପ୍ରିୟତାର ପିକରେ ରହିଥିବା ସମୟରେ ଅନେକ ଦଳ ହଠାତ୍ ଜନମାନସରୁ ନିମ୍ନମୁଖୀ ହୋଇଯିବା ପରି ଅନେକ ଉଦାହରଣ ରହିଛି । ତେବେ ଭାରତବର୍ଷର ଅତୀତର ରାଜନୀତି ମୁତାବକ, ଦେଶର ଜନତା ଏତେଶୀଘ୍ର କୌଣସି ଦଳକୁ ପରିବର୍ତ୍ତନ କରନ୍ତି ନାହିଁ । ସେ ଯାହା ବି ହେଉ ଜନତାଙ୍କ ହାତରେ ସବୁକିଛି, ଜନତା ଠିକ୍ ରହିଲେ ଦେଶ ଠିକ୍ ଭାବେ ଚାଲିବ । ଜନତା ଯଦି ଚୁପଚାପ ବସି ରହିବେ, ତେବେ ଏକ ଦୁର୍ନୀତିଖୋର ସରକାର ମଧ୍ୟ ବର୍ଷ ବର୍ଷ ଧରି ଚେୟାର ଆବୋରି ବସି ରହିଥିବ । ଆଗାମୀ ଦିନରେ ଜନତା ଉଚିତ ଦଳକୁ ଉଚିତ ନେତାଙ୍କୁ ଚୟନ ନିଶ୍ଚୟ କରିବେ ।

୧୯୯୯ରେ ଦେଶରେ ଏନଡିଏ ସରକାର କ୍ଷମତାରେ ରହିଥିଲା । ଏହାପରେ ୨୦୦୪ ଓ ୨୦୦୯ରେ ୟୁପିଏ ସରକାର କ୍ରମାଗତ ଭାବେ ଦୁଇଥର କ୍ଷମତା ହାତେଇବାରେ ସକ୍ଷମ ହୋଇଥିଲା । ଏହାପରେ ପୁଣି ପଟ୍ଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ୨୦୧୩ ଓ ୨୦୧୯ରେ ଏନଡିଏ ପୁଣି ଦିଲ୍ଲୀ ସିଂହାସନ ଅକ୍ତିଆର କରିଥିଲା । ଆସନ୍ତା ୨୦୨୪ରେ ମଧ୍ୟ ଏନଡିଏ ପୁଣି ଦିଲ୍ଲୀ ଦଖଲ କରିବା ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ମହାମେଣ୍ଟ ଏକପ୍ରକାରର ଶକ୍ତିହୀନ ହୋଇଯାଇଛି । ତେଣୁ ଏହାପରେ ୨୦୨୯ କଥା ଏବେଠୁ ଆକଳନ କରିବା ସମ୍ଭବପର ନୁହେଁ ।

Get real time updates directly on you device, subscribe now.