କୋଲକାତା: ଆହତ ସମସ୍ୟା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଛନ୍ତି ଭାରତର ଉପଅଧିନାୟକ କେ.ଏଲ ରାହୁଲ । କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଦିନ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରହିଛି ରୋହିତ ସେନାର ନଜର । ତେବେ ଏହି ସିରିଜ ପାଇଁ ପ୍ଲେଇଙ୍ଗ ୧୧ ଚୟନ କରିବା ଅଧିନାୟକ ଏବଂ ଟିମ ପ୍ରବନ୍ଧକଙ୍କ ପାଇଁ କଷ୍ଟକର ହୋଇ ପଡିବ ।
କେ.ଏଲ ରାହୁଲଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଇଶାନ କିଶାନଙ୍କୁ ସୁଯୋଗ ମିଳିପାରେ । ତେବେ ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳ ସହିତ ଅନ୍ୟ ଏକ ବିକଳ୍ପ ଭାବେ ଯୋଡି ହୋଇଛନ୍ତି । ଏହା ପରେ ମଧ୍ୟକ୍ରମରେ ପୂର୍ବ ଅଧିନାୟକ ବିରାଟ କୋହଲି, ୱିକେଟ କିପର ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ପକ୍କା ରହିଛି । ତେବେ ଷଷ୍ଠ ସ୍ଥାନ ପାଇଁ ଶ୍ରେୟସ ଅୟର ଏବଂ ଦୀପକ ହୁଡ୍ଡାଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇ ପାରନ୍ତି । ତେବେ ବୋଲିଙ୍ଗ ଦାୟିତ୍ୱରେ ଶାର୍ଦ୍ଦୁ ଠାକୁର ଏବଂ ଦୀପକ ଚହରଙ୍କୁ ପ୍ରଥମ ଏକାଦଶରେ ସ୍ଥାନ ମିଳିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ ତୃତୀୟ ପେସ ବୋଲର ଭାବରେ ଭୁବେନେଶ୍ୱର କୁମାର କିମ୍ବା ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିପାରେ । ସେହିପରି ସ୍ପିନ ବୋଲିଙ୍ଗରେ ୟୁଜବେନ୍ଦ୍ର ଚହଲ ଏବଂ କୁଳଦୀପ ଯାଦବ ଦଳରେ ନିଜ ସ୍ଥାନ ପକ୍କା କରିପାରନ୍ତି ।
ସମ୍ଭାବ୍ୟ ପ୍ଲେଇଙ୍ଗ ୧୧:
ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ଋଷଭ ପନ୍ତ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର/ ଦୀପକ ହୁଡ୍ଡା, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଭୁବନେଶ୍ୱର କୁମାର/ ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଏବଂ କୁଳଦୀପ ଯାଦବ ।