fbpx

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ: ଶିବସେନାକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ସେ ଏବେ କ’ଣ ପଦକ୍ଷେପ ନେବେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଲାଗିଛି ଏକ ବଡ଼ ଝଟକା । ଦୀର୍ଘଦିନ ଧରି ଲାଗି ରହିଥିବା ଏହି ମାମଲାକୁ ନେଇ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ରାହୁଲ ନର୍ଭେକର ଏକ ବଡ଼ ନିଷ୍ପତ୍ତି ଶୁଣାଇଥିଲେ । ନିର୍ବାଚନ ଆୟୋଗଙ୍କ ରେକର୍ଡରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ବାଚସ୍ପତି କହିଛନ୍ତି ।

ପୂର୍ବରୁ ଶିବସେନାର ନିର୍ବାଚନୀ ଚିହ୍ନ ‘ଧନୁ-ତୀର’ ଶିନ୍ଦେ ଗୋଷ୍ଠୀକୁ ମିଳିସାରିଛି । ଆଜି ଶିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ବିଧାୟକ ପଦ ବୈଧ ନେଇ ବାଚସ୍ପତି ନିଷ୍ପତ୍ତି ଶୁଣାଇବା ପରେ ଏବେ ଉଦ୍ଧବ ଗୋଷ୍ଠୀ ଉପରେ ସଙ୍କଟର ଛାୟା ଖେଳିଯାଇଛି । ଆଗକୁ ଦଳ ଭାଙ୍ଗିବାର ଆଶଙ୍କା ରହିଛି । ଏପରିକି ଏଭଳି ସ୍ଥିତିରେ ଦଳରୁ କିଛି ବିଧାୟକ ଦୂରେଇ ଯିବାର ସମ୍ଭାବନା ରହିଛି । ଆଜି ଯଦି ଶିନ୍ଦେ ଗୋଷ୍ଠୀର ବିଧାୟକମାନେ ଅଯୋଗ୍ୟ ଘୋଷିତ ହୋଇଥାନ୍ତେ ତେବେ ତାହା ଉଦ୍ଧବଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଥାନ୍ତା ।

ତେବେ ଏଭଳି ସ୍ଥିତିରେ ଉଦ୍ଧବ ଆଗକୁ କ’ଣ କରିବେ, ତାଙ୍କର ରାଜନୈତିକ ଭବିଷ୍ୟତ କ’ଣ ହେବ, କ’ଣ ବିକଳ୍ପ ରହିଛି ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଆଗାମୀ ନିର୍ବାଚନରେ ସଂଗଠନ ଆଗରେ ନିଜକୁ ପ୍ରମାଣିତ କରିବା ଏବେ ଉଦ୍ଧବଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଉଦ୍ଧବ ଗୋଷ୍ଠୀଙ୍କ ନିକଟରେ ଏବେ କେବଳ ସୁପ୍ରିମକୋର୍ଟଙ୍କ ବିକଳ୍ପ ରହିଛି । ଯଦି ବାଚସ୍ପତିଙ୍କ ନିଷ୍ପତ୍ତି ସକ୍ଷପରେ ନଯାଏ ତେବେ ସେ ସୁପ୍ରିମକୋର୍ଟ ଯିବେ ବୋଲି ପୂର୍ବରୁ ଉଦ୍ଧବ ଘୋଷଣା କରିସାରିଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଉଦ୍ଧବ ଗୋଷ୍ଠୀକୁ କି ଫାଇଦା ମିଳିବ ତାହା ସମୟ ହିଁ କହିବ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଶିବସେନା ପକ୍ଷରୁ ସମ୍ବିଧାନରେ ଯେଉଁ ସଂଶୋଧନ କରାଯାଇଥିଲା ତାହା ଅସାମ୍ବିଧାନିକ ଥିଲା । ଉକ୍ତ ସଂଶୋଧନ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ରେକର୍ଡରେ ଦର୍ଜ କରାଯାଇନଥିଲା । ନିର୍ବାଚନ ଆୟୋଗଙ୍କ ନିକଟରେ କେବଳ ୧୯୯୯ ମସିହାରେ ସମ୍ବିଧାନ ସଂଶୋଧନ ଦର୍ଜ ହୋଇଥିଲା । ତେଣୁ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯାଇଥିବା ସମ୍ବିଧାନ ହିଁ ବୈଧ ହେବ ବୋଲି ବାଚସ୍ପତି କହିଥିଲେ ।

Get real time updates directly on you device, subscribe now.