ଚାଲୁନି WhatsApp, ଅଟକିଲା Facebook… ୟୁଜରଙ୍କୁ ଝଟକା ଦେଲା Meta କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଖୁବ ଲୋକପ୍ରିୟ ସାଜିଛି ସୋସିଆଲ ମିଡିଆ । ଫାଙ୍କା ସମୟ ଅତିବାହିତ କରିବା ପାଇଁ ସୋସିଆଲ ମିଡିଆ ସବୁଠାରୁ ଭଲ ଏବଂ ସହଜ ଉପାୟ ପାଲଟିଛି । ତେବେ ମେଟା ଅଧୀନରେ ଥିବା ବିଭିନ୍ନ ସୋସିଆଲ ମିଡିଆ ଅଚାନକ କାମ କରିବା ବନ୍ଦ କରିଛି । ହ୍ୱାଟ୍ସଆପ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଅଚାନକ ଡାଉନ୍ ହୋଇ ଯାଇଛି । ଫଳରେ ୟୁଜର ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ମେଟାର ସର୍ଭର ଡାଉନ୍ ହେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି । ଅନ୍ୟ ସମସ୍ତ ସୋସିଆଲ ମିଡିଆରେ ଏହି ସମସ୍ୟା ନେଇ ଅଭିଯୋଗ କରିଛନ୍ତି ୟୁଜର ।

ରିପୋର୍ଟ ଅନୁସାରେ, ବୁଧବାର ରାତି ପ୍ରାୟ ୧୦.୫୮ ସମୟରେ ମେଟା ସର୍ଭର ଡାଉନ୍ ହୋଇଥିଲା । ଯାହା ଫଳରେ ହ୍ୱାଟସ୍ଆପ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର । ମେସେଜ, ପୋଷ୍ଟ ଏବଂ ଅପଡେଟ୍ସ କିଛି ସମୟ ପାଇଁ ସ୍ଲୋ କନେକ୍ସନ କିମ୍ବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । ଅନେକ ୟୁଜର ଅଭିଯୋଗ କରିବା ପରେ ମେଟା କମ୍ପାନୀ ଏହାର ସୂଚନା ଦେଇଛି । ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି ମେଟା କମ୍ପାନୀ ଲେଖିଛି ଯେ, ଟେକନିକାଲ ସମସ୍ୟା ଯୋଗୁଁ କିଛି ୟୁଜରଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ଯଥାଶୀଘ୍ର ଏ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମେଟା ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ୟୁଜରଙ୍କୁ କ୍ଷମାପ୍ରାର୍ଥନା କରିଛି କମ୍ପାନୀ ।