fbpx

ଯେବେ ଇନ୍ଦିରା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ମନ୍ଦିରରେ ମିଳିନଥିଲା ପ୍ରବେଶ ଅନୁମତି, କାହିଁକି ଉଠିଥିଲା ପ୍ରଶ୍ନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ବିହାର ସରକାରଙ୍କଠୁ ବିବାଦ ପିଛା ଛାଡୁନି। ଏବେ ତାଙ୍କର ମନ୍ତ୍ରୀ ଇଜରାଏଲ ମନସୁରୀ ଗୟାର ବିଷ୍ଣୁପଦ ମନ୍ଦିରରେ ପ୍ରବେଶ କରି ହିନସ୍ତା ହେବାକୁ ପଡିଛି। କୁହାଯାଉଛି ପ୍ରବେଶ ବର୍ଜିତ ହେବା ପରେ ମଧ୍ୟ ସେ ମନ୍ଦିରରେ ପ୍ରବେଶ କରିଥିଲେ। ମନ୍ଦିରର ପ୍ରବେଶ ଦ୍ଵାରରେ ଲେଖା ହୋଇଛି, ଅଣହିନ୍ଦୁ ପ୍ରବେଶ ନିଷେଧ। ଏବେ ମନସୁରୀ ଏହାକୁ ନିଜର ସୌଭାଗ୍ୟ ବୋଲି କହୁଛନ୍ତି। ମାତ୍ର ବିଜେପି ନେତା ଏବଂ ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହେଲେ ଏହା ପ୍ରଥମ ଥର ନୁହେଁ ଯେଉଁଠି ନେତାମାନଙ୍କୁ ମନ୍ଦିର ପ୍ରବେଶ ସମୟରେ ରୋକା ଯାଇଛି। ଏହା ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଧରଣର ନିୟମର ସାମ୍ନା କରିଛନ୍ତି।

ମହାତ୍ମା ଗାନ୍ଧୀ

ବିଶେଷ କରି ଜଗନ୍ନାଥ ମନ୍ଦିରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଏହି ଧରଣର ପରିସ୍ଥିତି ସାମ୍ନା କରିବାକୁ ପଡିଥିଲା। କାରଣ ଗାନ୍ଧୀ ଜୀ ମୁସଲମାନ, ହରିଜନ ଏବଂ ଦଳିତଙ୍କ ଦଳକୁ ନେଇ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ପ୍ରବେଶ ଦ୍ଵାର ଅର୍ଥାତ ସିଂହ ଦ୍ଵାରରେ ଗାନ୍ଧୀଜୀଙ୍କୁ ମଧ୍ୟ ଅଟକା ଯାଇଥିଲା।

ଇନ୍ଦିରା ଗାନ୍ଧୀ

ଏପରିକି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିନଥିଲା। କାରଣ ସେ ପାରସୀ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ଏହି କାରଣରୁ ତାଙ୍କୁ ଶ୍ରୀ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା।
ରାମନାଥ କୋବିନ୍ଦ

୨୦୧୮ ମାର୍ଚ୍ଚରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ଅଟକାଇ ଦିଆଯାଇଥିଲା। କିନ୍ତୁ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ଷମା ମଗାଯାଇଥିଲା। ମାତ୍ର ମାମଲାରେ ରାଷ୍ଟ୍ରପତି କାର‌୍ୟ୍ୟାଳୟଙ୍କ ପକ୍ଷରୁ ଖୁବ୍ ବିରୋଧ କରାଯାଇଥିଲା ଏବଂ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିେଲା।

ସୋନିଆ ଗାନ୍ଧୀ

୧୯୮୪ରେ ଯେବେ ରାଜୀବ ଗାନ୍ଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେହି ସମୟରେ ତାଙ୍କ ପତ୍ନୀ ତଥା କଂଗ୍ରେସର ବର୍ତ୍ତମାନ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କାଠମାଣ୍ଡୁରେ ପଶୁପତିନାଥ ମନ୍ଦିରରେ ପ୍ରବେଶ ସମୟରେ ଅଟକାଯାଇଥିଲା। ଖ୍ରୀଷ୍ଟିୟାନ ଏବଂ ଇଟାଲୀରୁ ଆସିଥିବା କାରଣରୁ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିବା କୁହାଯାଏ। ଏହାକୁ ନେଇ ରାଜନୀତିସ୍ତରରେ ଖିୁବ୍ ହଙ୍ଗାମା ହୋଇଥିଲା।

ଖାସ୍ କଥା ସୋନିଆ ଗାନ୍ଧୀଙ୍କୁ ୧୯୯୮ରେ ଏମିତି ସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଯେବେ ସେ ତିରୁପତି ମନ୍ଦିରରେ ଭିଜିଟର ବୁକରେ ଦସ୍ତଖତ କରିଥିଲେ। ସେହି ସମୟରେ ତିରୁପତି ବୋର୍ଡର ଅଧ୍ୟକ୍ଷ ଥିବା କଂଗ୍ରେସ ନେତା ସୁବିରାମୀ ରେଡ୍ଡୀ ତାଙ୍କ ପ୍ରବେଶରେ ସାହାଯ୍ୟ କରିଥିଲେ।

ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଓ୍ଵାୟନାଡର ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ଧରଣର ନିୟମ ସାମ୍ନା କରି ସାରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ସୋମନାଥ ମନ୍ଦିର ଯାଇଥିଲେ, ସେହି ସମୟରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା ଯେ, ସେ ଅଣ ହିନ୍ଦୁଙ୍କ ପାଇଁ ରଖାଯାଇଥିବା ଭିଜିଟର ବୁକରେ ଦସ୍ତଖତ କରିଥିଲେ। ଏହାକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା।

 

Get real time updates directly on you device, subscribe now.