fbpx

ଲାଲୁଙ୍କୁ ଶ୍ମଶାନ ନେଇଯାଇଥିଲେ ୨ ଭୂତ, କିପରି ବଞ୍ଚାଇଥିଲେ ଜୀବନ ଆତ୍ମକଥା ପୁସ୍ତକରେ କଲେ ଖୁଲାସା

ନୂଆଦିଲ୍ଲୀ: ବିହାର ରାଜନୀତିରେ ଲାଗି ରହିଥିବା ହଟଚମଟ ଓ ଜମି ବଦଳରେ ଚାକିରୀ ମାମଲାରେ ଇଡିର ଯାଞ୍ଚ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନୀତିଶ କୁମାର ଏନଡିଏରେ ମିଶି ରାଜ୍ୟରେ ବିଜେପି ସହ ସରକାର ଚଳାଉଥିଲେ ମଧ୍ୟ ତେଜସ୍ୱୀ ଯାଦବଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଗୋଟି ଚାଳନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ତେବେ ଆଜି ଆମେ ତାଙ୍କ ରାଜନୈତିକ କାରନାମା ବ୍ୟତିତ ତାଙ୍କ ସହ ଘଟିଥିବା ଅନ୍ୟ ଏକ ଘଟଣା ବିଷୟରେ ଚର୍ଚ୍ଚା କରିବୁ ଯାହା ବିଷୟରେ ନିଜେ ଲାଲୁ ଆତ୍ମକଥା ପୁସ୍ତକରେ କହିଛନ୍ତି ।

ଲାଲୁ ପ୍ରସାଦ ଯାଦବ ପିଲାଦିନେ ଭୂତର ସାମ୍ନା କରିଛନ୍ତି । ଲାଲୁ ଯାଦବ ନିଜ ଆତ୍ମକଥା ‘ଗୋପାଳଗଞ୍ଜରୁ ରାଇସିନା’ରେ ଏ ବିଷୟରେ କହିଛନ୍ତି । ତାଙ୍କ ରାଜନୈତିକ ଯାତ୍ରାରେ ସେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେତେବେଳେ ଅନ୍ଧକାର ରାତିରେ ୨ ଭୂତ ତାଙ୍କୁ ଶ୍ମଶାନ ଘାଟ ନେଇ ଯାଉଥିଲେ । ଏହି ସମୟରେ ଗାଁର ଭରମ ବାବା ତାଙ୍କ ଜୀବନ ବଞ୍ଚାଇଛନ୍ତି ବୋଲି ସେ କହିଛନ୍ତି । ନିଜ ଆତ୍ମକଥାରେ ସେ ଲେଖିଛନ୍ତି କି ତାଙ୍କର ଏକଦା ଭୂତ ସହ ସାମ୍ନାସାମ୍ନି ହୋଇଥିଲା ।

ସେ କହିଛନ୍ତି ମୋ ଘର ପଛପଟେ ଏକ ଅଶ୍ୱତ୍ଥ ଗଛ ତଳେ ଭରମ ବାବା ରହୁଥିଲେ । ଥରେ ପୂର୍ଣ୍ଣିମା ରାତିରେ ଭରମ ବାବାଙ୍କ ବାସସ୍ଥାନରେ ରାତ୍ରୀଭୋଜନ ହେଉଥିଲା । ଏହାସହିତ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଲାଲୁ କହିଛନ୍ତି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେ ଏକ ଗହମ ବସ୍ତା ଉପରେ ବସିଥିଲେ ଓ ତାଙ୍କୁ ନିଦ ଆସିଯାଇଥିଲା । କାର୍ଯ୍ୟକ୍ରମ ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ କିନ୍ତୁ ତାଙ୍କୁ କିଛି ବି ଜଣାପଡି ନ ଥିଲା । ଯେତେବେଳେ ସେ ଆଖି ଖୋଲିଥିଲେ ସେତେବେଳେ ତାଙ୍କ ସାମ୍ନାରେ ତାଙ୍କର ୨ ଜଣ ସାଙ୍ଗ ଛିଡା ହୋଇଥିବାର ଦେଖିଥିଲେ । ସେମାନେ ତାଙ୍କୁ ନିଦରୁ ଉଠାଇଥିଲେ ଓ ତାଙ୍କ ସହ ଯିବାକୁ କହିଥିଲେ ।

ତାଙ୍କ ନିଦ ଭଲ ଭାବରେ ଭାଙ୍ଗି ନ ଥିବାରୁ ସେ କିଛି ବୁଝି ନ ପାରି ତାଙ୍କ ସହ ଚାଲିଥିଲେ । ସେମାନେ ଗ୍ରାମ ବାହାରେ ଥିବା ଶ୍ମଶାନ ଘାଟ ଆଡକୁ ଚାଲିଥିଲେ ଓ ସେ ତାଙ୍କ ପଛେ ପଛେ ଚାଲିଥିଲେ । କିଛି ସମୟ ପରେ ତାଙ୍କୁ ପରିସ୍ରା ଲାଗିବାରୁ ସେ ବାଟରେ ବସିପଡିଲେ । ସେହି ସମୟରେ ସେମାନେ ମଧ୍ୟ ତାଙ୍କ ପାଖରେ ଛିଡା ହୋଇରହିଲେ । ଏହି ସମୟରେ ହାତରେ ଖଇନି ମଳି ମଳି ସେହି ବାଟ ଦେଇ ଗାଁର ଭରମ ବାବା ଯାଉଥିବା ବେଳେ ମୋତେ ଦେଖି ପଚାରିଲେ କିଏ ତୁ? ମୁଁ ଲଲୁଆ ବୋଲି କହିବା ପରେ ବାବା କହିଲେ ତୁ କୁଆଡେ ଯାଉଛୁ? ଯା ଘରକୁ ଯା । ବାବାଙ୍କ କଥା ଶୁଣି ସେ ୨ ଜଣ କେଉଁଆଡେ ଚାଲିଗଲେ । ଏହାପରେ ମୁଁ ପଛକୁ ଫେରି ଘରକୁ ଆସିଥିଲି । ପରଦିନ ସକାଳେ ଯେତେବେଳେ ମୁଁ ଗ୍ରାମର ସେହି ସାଙ୍ଗଙ୍କ ପାଖକୁ ଯାଇଥିଲି ସେମାନେ କହିଲେ କି ଆମେ ସେଠାକୁ ଯାଇନାହୁଁ । ଏହାପରେ ସେ ପୁଣି ବାବାଙ୍କ ପାଖକୁ ଯାଇଥିଲେ । ସେ କହିଥିଲେ କି ସେମାନେ ରାତିରେ ନିଜ ଘରେ ଶୋଇଥିଲେ ।

ଏହାପରେ ଲାଲୁ ଏହି ଘଟଣା ବିଷୟରେ ନିଜ ମା’ଙ୍କୁ କହିଥିଲେ । ତାଙ୍କ ମା’ ତାଙ୍କୁ କହିଥିଲେ ଯେ, ତୋ ସାଙ୍ଗ ବେଶରେ ଆସିଥିବା ସେହି ୨ ଜଣ ଭୂତ ଥିଲେ । ଭରମ ବାବା ତୋତେ ସେମାନଙ୍କ କବଳରୁ ବଞ୍ଚାଇଛନ୍ତି । ନ ହେଲେ ସେମାନେ ତୋତେ ଶ୍ମଶାନ ଘାଟ ନେଇ ମାରି ଦେଇଥାନ୍ତେ । ଲାଲୁ କହିଛନ୍ତି ସେବେଠାରୁ ସେ ଯେତେବେଳେ ବି ଗାଆଁକୁ ଯାଆନ୍ତି ଭରମ ବାବାଙ୍କ ଚରଣ ସ୍ପର୍ଶ କରି ଆସନ୍ତି ।

Get real time updates directly on you device, subscribe now.