fbpx

କେଉଁଠୁ ନିର୍ବାଚନ ଲଢ଼ିବେ ଅନୁଭବ ମହାନ୍ତି? MLA ହେବେ ନାଁ MP?

ଓଡ଼ିଶା ଭାସ୍କର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। କିନ୍ତୁ ଇସ୍ତଫାର ଏହି ୨ ଦିନ ପରେ ଅର୍ଥାତ ଆଜି ସେ ପଦ୍ମ ଶିବିରରେ ନିଜକୁ ସାମିଲ କରାଇଛନ୍ତି। ତେଣୁ ବର୍ତ୍ତମାନ ଅନୁଭବ କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଚର୍ଚ୍ଚା ଦେଖାଦେଇଛି। ତେବେ ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ, ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ଆଉ ଆଜି ବିଜେପିରେ ସାମିଲ ହେବା ପରେ ଅନୁଭବଙ୍କୁ ବିଜେପି କେଉଁଠୁ ସୁଯୋଗ ଦେବ ତା’ ଉପରେ ସମସ୍ତଙ୍କର ନଜର ରହିଛି।

ଅନୁଭବ ଲୋକସଭାରୁ ଲଢ଼ିବେ ନାଁ ବିଧାନସଭାରୁ?

ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ପାଇଁ ବିଜେପି ତାର ସମସ୍ତ ପ୍ରାର୍ଥୀ ଦେଇ ସାରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୩ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ତେବେ ଏହି ୨୧ ଲୋକସଭା ଆସନ ଭିତରୁ ଅନୁଭବ କେନ୍ଦ୍ରାପଡା ନଚେତ କଟକରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅପରପକ୍ଷେ ଭର୍ତ୍ତୃହରି ମହତାବଙ୍କୁ କଟକରୁ ପ୍ରାର୍ଥୀ କରି ସାରିଛି ଦଳ। ତେଣୁ ଅନୁଭବ ବର୍ତ୍ତମାନ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଶେଷ ମୁହୂର୍ତ୍ତରେ ଅନ୍ୟ କେଉଁ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ହୁଏତ ଅନୁଭବଙ୍କୁ ପ୍ରାର୍ଥୀ କରିପାରେ ବିଜେପି। କିନ୍ତୁ ଏସବୁ ଭିତରେ ଯଦି ଅନୁଭବ ଲୋକସଭା ଟିକେଟ ନ ପାଆନ୍ତି ତାହେଲେ ସେ ବିଧାନସଭାରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି।

Get real time updates directly on you device, subscribe now.