fbpx

‘ମୋ ଗଙ୍ଗାକୁ କେଉଁଠୁ ଆଣିବ’, ଯେତେବେଳେ ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କୁ ମିଳିଥିଲା ଆମେରିକାରେ ବସବାସ କରିବାର ସୁଯୋଗ

ଓଡ଼ିଶା ଭାସ୍କର (ନୂଆଦିଲ୍ଲୀ): ଦୀର୍ଘ ୨୦୦ ବର୍ଷ ବ୍ରିଟିଶ ଶାସନ ପରେ ଭାରତକୁ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତା ମିଳିଥିଲା। ଏହି ଐତିହାସିକ ଅବସରରେ ଏକ ଏପରି ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯିଏ ଲାଲକିଲ୍ଲାରେ ଶେହନାଇ ବଜାଇ ଭାରତର ସ୍ୱାଧୀନତାକୁ ଆହୁରି ସ୍ମରଣୀୟ କରିଥିଲେ। ଆମେ ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କ କଥା କହୁଛୁ, ଯିଏ ୧୯୪୭ରେ ଭାରତର ସ୍ୱାଧୀନତାର ପୂର୍ବ ସଂଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚେରୀରୁ ଶେହନାଇର ଧ୍ୱନୀ ପ୍ରକମ୍ପିତ କରିଥିଲେ। ସେ ଦେଶର ପ୍ରଥମ ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଶେହନାଇ ବାଦ୍ୟ ବଜାଇଥିଲେ। ଉସ୍ତାଦ ବିସ୍ମିଲ୍ଲାହ ଖାନ ହିଁ ତାଙ୍କ ଶେହନାଇର ମଧୁର ସ୍ୱର ସହ କେବଳ ଭାରତ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତକୁ ପରିଚିତ କରାଇଥିଲେ। ସେ ହିଁ ଭାରତରେ ଶେହନାଇକୁ ବଞ୍ଚାଇ ରଖିଛନ୍ତି।

ଉସ୍ତାଦ ବସ୍ମିଲ୍ଲାହ ଖାନଙ୍କୁ ବନାରସ ବହୁତ ଭଲଲାଗେ। ଦୂରଦର୍ଶନର ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ଯଦି କିଏ ଗୀତ ଗାଇବାକୁ ଚାହଁଛନ୍ତି ତେବେ ସେ ବନାରସକୁ ଆସି ଗଙ୍ଗା କୂଳରେ ବସନ୍ତୁ, କାରଣ ବନାରସର ନାମରେ ‘ରସ’ ରହିଥାଏ। ବିସ୍ମିଲ୍ଲାହ ଖାନ କହିଥିଲେ ଯେ, କାଶୀ ବିଶ୍ୱନାଥ ମନ୍ଦିର ହେଉ କି ବାଲାଜୀ ମନ୍ଦିର ବା ଗଙ୍ଗା ଘାଟ ହେଉ, ଏଠାରେ ଶେହନାଇ ବଜାଇବାରେ ଏକ ଅଭୁତ ଶାନ୍ତି ମିଳିଥାଏ।
ଜୂହୀ ସିହ୍ନାଙ୍କ ବହି, ‘ବିସ୍ମିଲ୍ଲାହ ଖାନ-ବନାରସର ଉସ୍ତାଦ’, ଏହି ପୁସ୍ତକରେ ବିସ୍ମିଲ୍ଲା ଖାନଙ୍କୁ ଡୁମ୍ରାଓନ୍ ପରି ଏକ ଛୋଟ ସହରରୁ ବନାରସ ଏବଂ ପରେ ବିଶ୍ୱକୁ ଯାତ୍ରା ବର୍ଣ୍ଣନା କରାଯାଇଛି।
ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କୁ ଭାରତର ଚାରୋଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ସେ ପଦ୍ମ ଶ୍ରୀ(୧୯୬୧), ପଦ୍ମ ଭୂଷଣ(୧୯୬୮), ପଦ୍ମ ବିଭୂଷଣ(୧୯୮୦) ଏବଂ ୨୦୦୧ରେ ଭାରତ ରତ୍ନରେ ସମ୍ମାନୀତ ହୋଇଛନ୍ତି।

କୁହାଯାଉଛି ଯେ, ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କ ଇଚ୍ଛା ଥିଲା ଯେ, ସେ ଇଣ୍ଡିଆ ଗେଟରେ ଶେହନାଇ ବଜାଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ। ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇପାରିଲାନି। ୨୧ ଅଗଷ୍ଟ ୨୦୦୬ରେ ୯୦ ବର୍ଷ ବୟସରେ ମହାନ ଶେହନାଇ ବାଦକ ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କର ପରଲୋକ ଘଟିଥିଲା।

ସେ ୟୁଏସଏ, କାନାଡା, ବାଂଲାଦେଶ, ଆପଗାନିସ୍ଥାନ, ଇରାନ, ଇରାକ, ୱେଷ୍ଟ ଅଫ୍ରିକା ଭଳି ଦେଶରେ ଶେହନାଇ ବଜାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ତାଙ୍କୁ ଆମେରିକାରେ ବସବାସ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଭାରତକୁ ଛାଡିପାରିବେ ନାହିଁ ବୋଲି କହିଥିଲେ। ତାଙ୍କୁ ବନାରସ ଛାଡିବାର ଚିନ୍ତା ବ୍ୟଥିତ କରିଥିଲା। ବିସ୍ମିଲ୍ଲାହ ଖାନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଆମେରିକାରେ ‘ତୁମେ ମୋର ଗଙ୍ଗାକୁ କେଉଁଠାରୁ ଆଣିବ’।

Get real time updates directly on you device, subscribe now.