ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । କିନ୍ତୁ ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଖେଳାଳି ଏଥର ଆଇପିଏଲ ବାଦ ପଡିଥିବା ଜଣାପଡିଛି। ତେବେ ଆସନ୍ତୁ ଜାଣିବା ଏଥର କେଉଁ ସବୁ ଖେଳାଳି ଆଇପିଏଲ ଖେଳିବେ ନାହିଁ।
ମହମ୍ମଦ ଶାମି: ଗୁଜରାଟ ଟାଇଟନ୍ସକୁ ଏଥର ମହମ୍ମଦ ଶାମିଙ୍କ ସେବା ମିଳିବ ନାହିଁ। ଗୋଇଠି ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ।
ଡେଭୋନ କନୱେ: ଚେନ୍ନାଇ ସୁପର କିଙ୍ଗସର ଓପନର ଡେଭୋନ କନୱେ ମଧ୍ୟ ଆହତ ସମସ୍ୟା ଯୋଗୁ ଏଥର ଆଇପିଏଲରୁ ବାଦ ପଡ଼ିଛନ୍ତି।
ଜେସନ ରୟ ଓ ଗସ ଅଟକିନସନ: କୋଲକାତା ନାଇଟ ରାଇଡର୍ସର ଦୁଇ ଷ୍ଟାର ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏଥର ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି।
ହ୍ୟାରୀ ବ୍ରୁକ: ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ଆଇପିଏଲ ନିଲାମ ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହେଲେ ଦଳ ତାଙ୍କୁ ନିଲାମ ପୂର୍ବରୁ ରିଲିଜ କରି ଦେଇଥିଲା। ତେବେ ରିଲିଜ ପରେ ସେ ନିଲାମରେ ସାମିଲ ହୋଇଥିଲେ। ତାଙ୍କୁ ଦିଲ୍ଲୀ ୪ କୋଟି ଟଙ୍କାରେ କିଣିଥିଲା।
ପ୍ରସିଦ୍ଧ କ୍ରିଷ୍ଣା: ରାଜସ୍ଥାନ ରୟାଲ୍ସର ପ୍ରମୁଖ ସଦସ୍ୟ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ। ରଣଜୀ ଟ୍ରଫି ଖେଳିବା ବେଳେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଫେବୃଆରୀ ମାସରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେ ନାହିଁ।