fbpx

ଭାରତର ଆଉ ଏକ ଔଷଧକୁ ନେଇ ଆଲର୍ଟ ଜାରି: ଏହି କାଶ ସିରପକୁ ‘ମାରାତ୍ମକ’ କହିଲା WHO

ନୂଆଦିଲ୍ଲୀ: ଭାରତରେ ତିଆରି ହୋଇଥିବା ଅନ୍ୟ ଏକ କାଶ ସିରପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୋମବାର ଏକ ସତର୍କ ସୂଚନା ଜାରି କରିଛି । ଏଥର ଇରାକରୁ ଭାରତୀୟ ସିରପକୁ ନେଇ ଆପତ୍ତି ଉଠାଯାଇଥିଲା । ତେବେ ଗତ ୧୦ ମାସ ମଧ୍ୟରେ ଏହା ହେଉଛି ପଞ୍ଚମ ଥର, ଯେଉଁଥିରେ ଭାରତୀୟ ନିର୍ମିତ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇପାରେ ।

ଡବ୍ଲୁଏଚଓ ଏହାର ବିବୃତ୍ତିରେ କହିଛି ଯେ, ଇରାକର ଏକ ତୃତୀୟ ପକ୍ଷ ଆମକୁ ‘କୋଲ୍ଡ ଆଉଟ୍’ କାଶ ସିରପ ବିଷୟରେ ସୂଚନା ଦେଇଛି । ଏହି କୋଲ୍ଡ ଆଉଟ୍ ସିରପ୍ (ପାରାସିଟାମଲ୍ ଏବଂ କ୍ଲୋରଫେନିରାମାଇନ୍ ମାଲିୟଟ)ର ଗୁଣବତ୍ତା ଖରାପ ଏବଂ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ।

ଏହି ସିରପ ତାମିଲନାଡୁର ଫୋର୍ଟସ୍ (ଓଘଊଓଇ) ଲାବୋରେଟୋରୀ ପିଭି ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ । ଏହାର ଉତ୍ପାଦନ ୟୁନିଟ୍ ମହାରାଷ୍ଟ୍ରରେ ରହିଛି, ଯାହାର ନାଁ ଡାବିଲିଫ୍ ଫାର୍ମା ପ୍ରାଇଭେଟ ଲିମିଟେଡ୍ । ଏହି ସିରପର ବ୍ୟବହାର ଥଣ୍ଡା ଲକ୍ଷଣ ଏବଂ ଆଲର୍ଜିରୁ ମୁକ୍ତି ପାଇଁ ହୋଇଥାଏ ।

କାଶ ସିରପକୁ କାହିଁକି ନିଷେଧ କରାଯାଇପାରେ :-
ଡବ୍ଲୁଏଚଓ କହିଛି ଯେ, ଇରାକର ଏକ ସ୍ଥାନରୁ କାଶ ସିରପ ଅର୍ଡର କରି ଲ୍ୟାବ ବିଶ୍ଳେଷଣ କରାଯାଇଛି । ନମୁନାରେ ଡାଏଥାଇଲନ୍ ଗ୍ଲାଇକଲର ପରିମାଣ ଅଧିକ ଥିବା ଦେଖିବାକୁ ମିଳିଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏଥିରେ ଏହାର ପରିମାଣ ୦.୨୫ ପ୍ରତିଶତ ଥିଲା । ଏଥି ସହିତ ଇଥିଲିନ ଗ୍ଲାଇକଲ ମଧ୍ୟ ୨.୧ ପ୍ରତିଶତରେ ମିଳିଥିଲା । ଏହି ଦୁଇଟି ଗ୍ଲାଇକଲ୍ ସୀମାଠାରୁ ବହୁତ ଅଧିକ ମାତ୍ରାରେ ରହିଛି । ଏହାକୁ ୦.୧୦ ପ୍ରତିଶତରୁ ଅଧିକ ବ୍ୟବହାର କରାଯାଇପାରିବ ନାହିଁ । ଡାଇଥାଇଲନ୍ ଗ୍ଲାଇକଲ୍ ଏବଂ ଇଥାଇଲନ୍ ଗ୍ଲାଇକଲ୍ ବିଷାକ୍ତ ଏବଂ ବହୁ ପରିମାଣରେ ଖାଇଲେ ମୃତ୍ୟୁ ହୋଇପାରେ ।

ପୂର୍ବରୁ ବି ଗାମ୍ବିଆ, ଉଜବେକିସ୍ଥାନରୁ ଭାରତର କାଶ ସିରପ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହୋଇଥିଲା ଓ କୁହାଯାଇଥିଲା ଯେ ଏଥିରେ ୭୦ ରୁ ଅଧିକ ପିଲାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ କାମେରୁନରୁ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା । ଆମେରିକାରେ ଭାରତ ଦ୍ୱାରା ପ୍ରସ୍ତୁତ ଆଇ ଟ୍ରପ୍ ହେତୁ ଅନେକ ପିଲାଙ୍କର ଆଖି ସଂକ୍ରମଣର ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଡବ୍ଲୁଏଚଓ କହିଛି ଯେ, ଇରାକରେ ଯାହାବି ଏହି ପ୍ରକାରର କାଶ ସିରପ୍ ମିଳିଛି, ତାହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ଏହା ପିଲାମାନଙ୍କ ପାଇଁ ବିଶେଷ ବିପଦଜନକ ଏବଂ ଏହା ମଧ୍ୟ ମୃତ୍ୟୁର କାରଣ ହୋଇପାରେ ।

Get real time updates directly on you device, subscribe now.