ସୌମ୍ୟାଶ୍ରୀ ଜଳିବା ସମୟରେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ୨ ଝିଅ କିଏ?
ସିସିଟିଭିରେ ଦେଖାଯାଉଥିବା ୨ ଝିଅ ମିଳିଗଲେ ସୌମ୍ୟାଶ୍ରୀ ମୃତ୍ୟୁ ପଛରୁ ପରଦା ଉଠିଯିବ।
ବାଲେଶ୍ୱର: FM କଲେଜ୍ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଘଟଣାକୁ ପାଖାପାଖି ୧୩ ଦିନ ବିତିଗଲାଣି ହେଲେ ପ୍ରକୃତ ଘଟଣା ଉପରୁ ପରଦା ଉଠିିପାରୁନି।
ଆଉ ଏହି ସମୟରେ ଏବେ ପୁଣି ଏକ ସୁରାକ ସାମ୍ନାକୁ ଆସିଛି। ଘଟଣା ଘଟିବା ସମୟରେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ସମୟରେ ସେ କିପରି ଏଣେତେଣେ ଦୌଡୁଥିଲେ ତାର ଏକ ସିସିଟିଭି ଭିଡ଼ିଓ ସେହି ଦିନଠାରୁ ସୋସିଆଲ ମିଡିଆରେ ଘୂରି ବୁଲୁଛି।
ଆଉ ଏହି ଭିଡ଼ିଓରେ ମଧ୍ୟ ଦୁଇ ଜଣ ଝିଅଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ କି ଦୁଆର ସାମ୍ନାରେ ବସିଥିଲେ। ଆଉ ସୌମ୍ୟାଶ୍ରୀ ନିଆଁରେ ହୁତୁହୁତୁ ହୋଇ ଜଳି ସେହି ଆଡକୁ ଆସିବା ଦେଖି ସେମାନେ ଉଠି ସେଠାରୁ ପଳାଇଯାଇଥିଲେ।
ଆଉ ଏଥିରୁ ଜଣାପଡ଼ୁଛି କି ଏହି ୨ ଝିଅ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ। ଆଉ ସୌମ୍ୟାଶ୍ରୀଙ୍କ ଦେହରେ କିପରି ନିଆଁ ଲାଗିଲା ସେମାନେ ଜାଣିଥାଇପାରନ୍ତି।
ହେଲେ ଏତେ ସବୁ ତଦନ୍ତ ପରେ ବି ସେମାନେ ସାମ୍ନାକୁ ଆସିନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ ସେହି ୨ ଝିଅଙ୍କୁ ଖୋଜୁଥିବା ସୂଚନା ମିଳିଛି। କୁହାଯାଉଛି ସେହି ୨ ଝିଅଙ୍କ ଠିକଣା ମିଳିଗଲେ ବୋଧହୁଏ ସୌମ୍ୟାଶ୍ରୀ ମୃତ୍ୟୁ ପଛର ରହସ୍ୟ ଖୋଲିଯିବ।
ତେଣୁ ସେହି ୨ ଜଣ ଝିଅ କିଏ? ଚିହ୍ନଟ ପାଇଁ ଜୋରଦାର ଉଦ୍ୟମ ଚାଲିଛି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ମଧ୍ୟ ଗ୍ରୁପରେ ଫଟୋ ସେୟାର କରିଛନ୍ତି। ଯଦି କେହି ସୂଚନା ପାଆନ୍ତି କଲେଜକୁ ଜଣାଇବାକୁ ଅନୁରୋଧ କରିଛନ୍ତି ଅଧ୍ୟକ୍ଷ।