କଳା ପାହାଡ଼ କିଏ? ପ୍ରଭୁ ଜଗନ୍ନାଥଙ୍କ ସହ କ’ଣ ଥିଲା ଶତ୍ରୁତା, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ମନ୍ଦିର, ଐତିହ୍ୟ ଓ ପରମ୍ପରା ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରତିଟି ମନ୍ଦିର ଓ ଗଡ଼ର ରହିଛି କିଛି ନା କିଛି ରହସ୍ୟ, ଯାହା ମଧ୍ୟରେ କୋଣାର୍କ ମନ୍ଦିର ଅନ୍ୟତମ । କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତୋଳାଯାଇଥିଲା । କିନ୍ତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଧ୍ୱଂସର ମୂଳକାରଣ ହେଉଛି ବଙ୍ଗୀୟ ସୁଲତାନ ସୁଲେମାନ କରାଣୀର ସେନାଧ୍ୟକ୍ଷ ରୁଦ୍ରନାରାୟଣ, ଯିଏ କଳାପାହାଡ଼ ନାଁରେ କୁଖ୍ୟାତ । କେହି କେହି କହନ୍ତି, କଳା ପାହାଡ଼ ଆଗରୁ ହିନ୍ଦୁ ଥିଲା । ପରେ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲା । ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନ ଅନୁସାରେ ସେ ଜଣେ ବତିନି(ଆଫଗାନର ପଠାଣ) ଲୋକ ।

କଳାପାହାଡ଼କୁ ନେଇ ଇତିହାସ ଯେତେ କଥା କୁହେ, ତା’ଠାରୁ ବେଶି କଥା କିମ୍ବଦନ୍ତୀ, ବଚ୍ଚନିକା, କଥନିକା ଇତ୍ୟାଦିରୁ ଶୁଣିବାକୁ ମିଳେ । ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ ବିଜୟ ପରେ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା । ଏହି ଘଟଣା ପଛରେ ରହିଛି ଅନେକ କାହାଣୀ ।

ପୁରୀ ଜଗନ୍ନାଥ ମନ୍ଦିରରର ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବଦେବୀଙ୍କୁ ସେ ଧ୍ୱଂସ କରିଥିଲା । କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା । ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା ।

୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ । ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟକୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ । ପରେ ପରେ ଏହା ପୁରୀକୁ ନିଆଗଲା ଓ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପିତ କରାଗଲା । ଆଉ କେହି କେହି ମତ ଦିଅନ୍ତି, କୋଣାର୍କ ମନ୍ଦିରରେ ଅନୁସୃତ ପୂଜାବିଧି ଆଜି ମଧ୍ୟ ଅଜ୍ଞାତ । ଆଉ କେହି କେହି କହନ୍ତି, କୋଣାର୍କରେ ଅଧ୍ୟୁଷିତ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ଏବେ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ରହିଛି ।

ସୂର୍ଯ୍ୟଦେବତାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତରିତ କରିନେବାପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଏଠାକୁ କେହି ତୀର୍ଥ ଯାତ୍ରୀ ଆସିଲେ ନାହିଁ । ସମୟକ୍ରମେ ବହିର୍ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା । କିନ୍ତୁ ଦିନ ଥିଲା ଯେତେବେଳେ କୋଣାର୍କ ସହର ଥିଲା ସୂର୍ଯ୍ୟ ପୂଜାର ଗୌରବଶାଳୀ ପରମ୍ପରା ବହନ କରୁଥିବା ଉତ୍କଳୀୟ ନୌବାଣିଜ୍ୟର ବିଖ୍ୟାତ କେନ୍ଦ୍ରସ୍ଥଳୀ । ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା ।

୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ବ୍ୟବହାର କରି ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢାର କିଛି ଅଂଶ କୋଣାର୍କରୁ ନିଆ ଯାଇଥିବା ପଥରରେ ତିଆରି କରାଯାଇଥିଲା ।

କୁହାଯାଏ ଯେ, ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା । ପରେ ପରେ ଏହାକୁ ଭାଙ୍ଗି ଦିଆ ଯାଇଥିଲା, କାରଣ ମରାଠାମାନେ ଏହାକୁ ଏକ ଅନାବଶ୍ୟକ ସଂରଚନା ବୋଲି ଜ୍ଞାନ କରିଥିଲେ । ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସାମନାରେ ସ୍ଥାପନ କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ନିଜର ସମସ୍ତ ଗୌରବ ହରାଇ ସାରିଥିଲା ଓ ଧିରେ ଧିରେ ଏହା ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀ ହୋଇ ଯାଇଥିଲା । କୁହାଯାଏ ଯେ, ସ୍ଥାନୀୟ ଲୋକମାନେ ବି ଦିନ ଦ୍ୱିପହରରେ ଏଠାକୁ ଯିବାକୁ ଡରୁଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ମନ୍ଦିର ଧୀରେ ଧୀରେ ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା ।