ଶାହରୁଖ ଖାଁ କିଏ ? ଜାଣନ୍ତୁ ପଠାନ୍ ଫିଲ୍ମ ରିଲିଜ ହେବା ପୁର୍ବରୁ କାହିଁକି ଏପରି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ‘ଶାହରୁଖ ଖାଁ କିଏ ? ମୁଁ ତାଙ୍କୁ କିମ୍ବା ତାଙ୍କର ଫିଲ୍ମ ବିଷୟରେ କିଛି ଜାଣିନି…।’ ଶନିବାର ସାମ୍ବାଦିକମାନଙ୍କର ପ୍ରଶ୍ନରେ ଏଭଳି କିଛି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା। ଗଣମାଧ୍ୟମ କର୍ମଚାରୀମାନେ ବଜରଙ୍ଗ ଦଳ କର୍ମୀଙ୍କ ହିଂସାତ୍ମକ ବିରୋଧ ଉପରେ ପ୍ରଶ୍ନ କରିଥିଲେ। ଶୁକ୍ରବାର ଦିନ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସହରର ନରେଙ୍ଗୀରେ ଏକ ଥିଏଟର ଭାଙ୍ଗି ଫିଲ୍ମ ‘ପଠାନ’ର ପୋଷ୍ଟର ଚିରି ପୋଡି ଦେଇଥିଲେ। ଏହି ଥିଏଟରରେ ‘ପଠାନ୍‌’ର ସ୍କ୍ରିନିଂ ହେବାର ଅଛି।

ଶର୍ମା କହିଥିଲେ, ‘ଶାହରୁଖ ମୋତେ ଫୋନ୍ କରି ନାହାନ୍ତି। ତେବେ ବଲିଉଡ୍‌ର ଅନେକ ସେମାନଙ୍କର ସମସ୍ୟା ପାଇଁ ଏଭଳି କରିଥାନ୍ତି। ଯଦି ଫୋନ୍ କରନ୍ତି ତେବେ ସେ ଏହି ମାମଲା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି, ଯଦି ଆଇନ୍ ଓ ବ୍ୟବସ୍ଥା ବିରୁଦ୍ଧରେ କାର୍ଯ୍ୟ ହୋଇଛି ଏବଂ ମାମଲା ରୁଜୁ କରାଯାଇଛି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।’

ତେବେ ଶାହରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ର ଗୀତ ‘ବେସରମ ରଙ୍ଗ’ରେ ଦୀପିକା ପାଦୁକୋନ୍ ଗେରୁଆ ବିକିନି ପିନ୍ଧି ନାଚିଥିଲେ। ଏହାକୁ ନେଇ ଅନେକ ବିଜେପି ନେତା ବିରୋଧ କରିଥିବା ବେଳେ ଫିଲ୍ମକୁ ବଏକଟ୍ କରିବା ସହିତ ଅନେକ ଆଲୋଚନା ମଧ୍ୟ ହୋଇଥିଲା। ବିଶ୍ୱ ହିନ୍ଦୁ ସହିତ ଅନେକ ସଂଘଠନ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଥିଲେ।

ଯେତେବେଳେ ସାମ୍ବାଦିକମାନେ ତାଙ୍କୁ କହିଥିଲେ ଯେ ଶାହରୁଖ ଖାନ ଜଣେ ବଲିଉଡ ସୁପରଷ୍ଟାର, ସେତେବେଳେ ଶର୍ମା କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ନୁହେଁ ଆସାମ ପାଇଁ ରାଜ୍ୟବାସୀ ଚିନ୍ତିତ ହେବା ଉଚିତ।