fbpx

ଦିଲ୍ଲୀର ପ୍ରକୃତ ବସ୍ କିଏ ? ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ: କେନ୍ଦ୍ର ବନାମ ଦିଲ୍ଲୀ ସରକାରଙ୍କ ଲଢେଇ ପୁଣି ଥରେ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। ଦେଶର ରାଜଧାନୀର ପ୍ରଶାସନିକ ସେବାରେ କାହାର ନିୟନ୍ତ୍ରଣ ରହିବ ସଂପର୍କିତ ମାମଲାର ଶୁଣାଣି କରିବ ସୁପ୍ରିମକୋର୍ଟର ୫ ଜଣ୍ଡିଆ ସାମ୍ବିଧାନିକ ଖଣ୍ଡପୀଠ। ଏ ନେଇ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। କେନ୍ଦ୍ର ବନାମ ଦିଲ୍ଲୀ ସରକାରଙ୍କ ଲଢେଇ ଅନେକ ବର୍ଷ ଧରି ଲାଗି ରହିଛି।

ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି କୃଷ୍ଣ ମୁରାରୀ ଏବଂ ବିଚାରପତି ହିମା କୋହଲିଙ୍କ ଏକ ପୀଠ ଆମ୍ ଆଦମୀ ପାର୍ଟି(ଆପ୍) ପକ୍ଷରୁ ହାଜର ବରିଷ୍ଠ ଓକିଲ ଏ ଏମ ସିଙ୍ଘଭିଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ସହମତି ହୋଇଛନ୍ତି। ସିଙ୍ଘଭି ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଅନୁରୋଧ କରିଥିଲେ। ସିଙ୍ଘଭି କହିଛନ୍ତି, ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ମାମଲା। ଦୟାକରି ଏହାକୁ ସୂଚୀବଦ୍ଧ କରନ୍ତୁ।

ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ଦିଲ୍ଲୀ ମଧ୍ୟରେ ପ୍ରଶାସନିକ ସେବା କାହା ନିୟନ୍ତ୍ରଣରେ ରହିବ ବିବାଦ ସଂପର୍କିତ ମାମଲାର ଶୁଣାଣି ପାଇଁ ମେ ୬ ତାରିଖରେ ହିଁ ପାଞ୍ଚ ବିଚାରପତିଙ୍କ ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ। ୨୦୧୯ ଫେବୃଆରୀ ୧୪ରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ବିବାଦରେ ବିଭାଜିତ ରାୟ ଦେଇଥିଲେ।

ଏହା ଉପରେ ବିଚାରପତି ଏସକେ ସିକରୀ ଏବଂ ବିଚାରପତି ଅଶୋକ ଭୂଷଣଙ୍କ ଦୁଇ ଜଣିଆ ଖଣ୍ଡପୀଠ ତତ୍କାଳୀନ ପ୍ରଧାନ ବିଚାରପତିଙ୍କୁ ଅନ୍ତିମ ନିଷ୍ପତ୍ତି ନେବା ପାଇଁ ତିନି ଜଣିଆ ଖଣ୍ଡପୀଠ ଗଠନ କରିବାକୁ ସୁପାରିଶ କରିଥିଲେ। ଦୁଇ ବିଚାରପତି ବର୍ତ୍ତମାନ ଅବସର ନେଇ ସାରିଛନ୍ତି। ସେହି ସମୟରେ ବିଚାରପତି ଭୂଷଣ କହିଥିଲେ ଯେ, ଦିଲ୍ଲୀ ସରକାରଙ୍କ ନିକଟରେ ପ୍ରଶାସନିକ ସେବା ଉପରେ କୌଣସି ଅଧିକାର ନାହିଁ। କିନ୍ତୁ ବିଚାରପତି ସିକରୀଙ୍କ ରାୟ ଏହାର ବିପରୀତ ଥିଲା।

 

Get real time updates directly on you device, subscribe now.