ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ କିଏ? 16 ବର୍ଷରୁ କେମିତି ଆରମ୍ଭ କରିଥିଲେ ରାଜନୀତି…
ମହାରାଷ୍ଟ୍ର ରାଜ୍ୟପାଳ ବ୍ୟବସାୟ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଓଡ଼ିଶା ଭାସ୍କର: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଭାରତର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଭାବରେ ବାଛିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ଏହାର ଘୋଷଣା କରିଛନ୍ତି।
ତାମିଲନାଡୁ ସହିତ ତାଙ୍କର ଏକ ବିଶେଷ ସମ୍ପର୍କ ଅଛି- ସିପି ରାଧାକୃଷ୍ଣନଙ୍କ ପୂର୍ଣ୍ଣ ନାମ ଚନ୍ଦ୍ରପୁରମ ପୋନୁସାମୀ ରାଧାକୃଷ୍ଣନ। ତାଙ୍କର ଜନ୍ମ ୪ ମଇ ୧୯୫୭ରେ ତାମିଲନାଡୁର ତିରୁପୁରରେ ହୋଇଥିଲା। ସେ ଦୀର୍ଘ ସମୟ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହିତ ଜଡିତ ଅଛନ୍ତି । ୧୯୭୩ ମସିହାରୁ ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ସେବେଠୁ ସେ ଆରଏସଏସ ସହ ରହିଛନ୍ତି। ତାଙ୍କର ସାମାଜିକ ଏବଂ ଆଦର୍ଶଗତ ସମ୍ପର୍କ ଜନସଂଘ ଏବଂ ପରେ ବିଜେପି ସହିତ ଥିଲା।
ସେ ପ୍ରଥମ ଥର ପାଇଁ କେଉଁଠାରେ ନିର୍ବାଚନ ଜିତିଥିଲେ?– ରାଧାକୃଷ୍ଣନ୍ ୧୯୯୮ ଏବଂ ୧୯୯୯ରେ ବିଜେପି ଟିକେଟରେ କୋଏମ୍ବାଟୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ। ୧୯୯୮ରେ ସେ ୧.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ସେ ନିର୍ବାଚନ ଜିତିଥିଲେ ଏବଂ ୧୯୯୯ରେ ମଧ୍ୟ ସେ ୫୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କୋଏମ୍ବାଟୁର ବୋମା ବିସ୍ଫୋରଣ ପରେ ସେତେବେଳେ ବିଜେପିର ଲୋକପ୍ରିୟତା ଯୋଗୁଁ ଏହି ବିଜୟ ସମ୍ଭବ ହୋଇଥିଲା।
ସିପି ରାଧାକୃଷ୍ଣନ କିଏ?
ଚନ୍ଦ୍ରପୁରମ ପୋନୁସାମୀ ରାଧାକୃଷ୍ଣନ ୩୧ ଜୁଲାଇ, ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ମହାରାଷ୍ଟ୍ର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ପୂର୍ବରୁ, ସେ ପ୍ରାୟ ଦେଢ଼ ବର୍ଷ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି।
୨୦ ଅକ୍ଟୋବର, ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିବା ମହାରାଷ୍ଟ୍ର ରାଜ୍ୟପାଳ ବ୍ୟବସାୟ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଆରଏସଏସର ସଦସ୍ୟ ଥିଲେ ଏବଂ ୧୯୭୪ରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।
ପ୍ରକାଶଥାଉ ଯେ, ନିର୍ବାଚନ କମିଶନ କହିଛନ୍ତି ଯେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଏବଂ ଅଗଷ୍ଟ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।