୨୦୧୮ରେ ତିନି ରାଜ୍ୟରେ କଂଗ୍ରେସ ଜିତିଥିଲା: ୨୦୨୩ରେ କ’ଣ ହେବ, ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତା ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହିସବୁ ରାଜ୍ୟଗୁଡ଼ିକରେ ମୋଟ ୬୭୯ଟି ବିଧାନସଭା ଆସନ ରହିଥିବା ବେଳେ ସେଥିମଧ୍ୟରୁ ବିଜେପି ହାତରେ ୨୧୭ଟି, କଂଗ୍ରେସ ହାତରେ ୨୮୬ଟି ରହିଛି । ଅର୍ଥାତ କଂଗ୍ରେସ ବିଜେପିଠାରୁ ୬୯ଟି ସିଟ ଆଗରେ ରହିଛି । ସେହିପରି ଏହି ସମସ୍ତ ରାଜ୍ୟରେ ୮୩ଟି ଲୋକସଭା ଆସନ ରହିଛି । ସେଥିମଧ୍ୟରୁ ବିଜେପି ପାଖରେ ୬୫ଟି, କଂଗ୍ରେସ ପାଖରେ ୬ଟି ଆସନ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ସମସ୍ତ ସିଟ ମଧ୍ୟରୁ ୩ଟି ରାଜ୍ୟର ୬୫ଟି ଆସନରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିଥାଏ ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦଖଲ କରିବା ବିଜେପିର ମୁଖ୍ୟ ଲକ୍ଷ୍ୟ ରହିଛି । ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହି ତିନୋଟି ରାଜ୍ୟରେ ବିଜୟର ବାନା ଉଡ଼ାଇଥିଲା । ଛତିଶଗଡ଼ର ୯୦ଟି ଆସନରୁ ୬୮ଟି, ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୧୪ଟି ଓ ରାଜସ୍ଥାନର ୨୦୦ଟି ଆସନରୁ ୧୦୦ଟିରେ କଂଗ୍ରେସ ଜିତିଥିଲା । ତେବେ ୫ ମାସ ପରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଏହି ତିନି ରାଜ୍ୟରେ ବିଜେପି କଂଗ୍ରେସର ବହୁ ପଛକୁ ଠେଲି ଦେଇଥିଲା ।

ଦିନକୁ ଦିନ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଥିବା ବେଳେ ଭୋଟରଙ୍କ ମୁଡ଼ ମଧ୍ୟ ବଦଳିବାରେ ଲାଗିଛି । ତେଣୁ ସବୁ ସମୟରେ ଭୋଟରଙ୍କୁ ସେଇ ପୁରୁଣା ଷ୍ଟାଇଲରେ ନିଜ ଆଡ଼କୁ ଆକର୍ଷିତ କରିବା ସମ୍ଭବ ନୁହେଁ । ୫ ବର୍ଷ ତଳେ କରିଥିବା ଭୁଲକୁ ଏଥର ସୁଧାରିବା ନିମନ୍ତେ ପ୍ରୟାସ କରୁଛି ବିଜେପି । କେଉଁ ରଣନୀତି ପ୍ରୟୋଗ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରିବ, ଏକସଙ୍ଗେ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିପାରିବ, ତା’ ଉପରେ ଦଳ ଫୋକସ୍ କରୁଛି ।

ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ କଂଗ୍ରେସର ମନୋବଳ ବହୁମାତ୍ରାରେ ବଢ଼ିଯାଇଛି । ଏଥିସହିତ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ଓ ତାହାକୁ ଫେରି ପାଇବା ପ୍ରସଙ୍ଗକୁ ନେଇ ସାରା ଦେଶରେ ଏକ ନୂଆ ପ୍ରକାରର ରାଜନୈତିକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ରାହୁଲଙ୍କ ଲୋକପ୍ରିୟତା କିଛି ମାତ୍ରାରେ ବଢ଼ିଯାଇଛି । ଏଥିସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଦଳ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ତେଣୁ ସବୁଆଡ଼ୁ ବିଚାର କଲେ ଏଥର ଏହି ତିନି ରାଜ୍ୟରେ କ୍ଷମତା ଦଖଲ କରିବାକୁ ହେଲେ ବିଜେପିକୁ କଠିନ ସଂଘର୍ଷ କରିବାକୁ ପଡ଼ିପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି ।