fbpx

ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ ହେଡ୍ କୋଚ…? ଏହି ଭେଟେରାନଙ୍କ ସମ୍ପର୍କରେ ରହିଛି BCCI

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର କାର୍ଯ୍ୟପ୍ରଣାଳୀକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ତିନୋଟି ଫର୍ମାଟର ଅଧିନାୟକ ବିରାଟ କୋହଲି ଟି-୨୦ରୁ ଅବ୍ୟାହତି ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ଟି-୨୦ ବିଶ୍ୱକପ୍ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ବିସିସିଆଇ ଅନିଲ କୁମ୍ବଲେ ଓ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ପଦ ପାଇଁ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି । କୁମ୍ବଲେ ୨୦୧୬-୧୭ ମଧ୍ୟରେ ଏକ ବର୍ଷ ପାଇଁ ଭାରତୀୟ ଟିମର କୋଚ ରହିସାରିଛନ୍ତି । ସେ ସମୟରେ ସଚିନ ତେନ୍ଦୁଲକର, ଲକ୍ଷ୍ମଣ ଓ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ ପରାମର୍ଶଦାତା ସମିତିରେ ଶାସ୍ତ୍ରୀଙ୍କ ସ୍ଥାନରେ କୁମ୍ବଲେଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ କୁମ୍ବଲେ ଓ ଲକ୍ଷ୍ମଣ ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଅଛନ୍ତି ନା ନାହିଁ ସେ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନଠାରୁ ହାରିବା ପରେ କୋହଲିଙ୍କ ସହ ମତଭେଦ କାରଣରୁ କୁମ୍ବଲେ ଇସ୍ତଫା ଦେଇଥିଲେ । ମୁଖ୍ୟ କୋଚ ଶାସ୍ତ୍ରୀ ଆଗାମୀ ଟି-୨୦ ବିଶ୍ୱକପ ପରେ ପଦ ଛାଡ଼ିବାର ସମ୍ଭାବନା ରହିଛି । ମାତ୍ର ଏନେଇ ବିସିସିଆଇ ବା ଶାସ୍ତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆସନ୍ତା ଡିସେମ୍ବରରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଥିବାରୁ ବିସିସିଆଇ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଏକମାସ ବଢ଼ାଇବାକୁ ଚାହୁଁଥିଲେ ହେଁ ସେ ଏନେଇ ରାଜି ହୋଇନଥିଲେ । ଶାସ୍ତ୍ରୀ ପ୍ରଥମ ଥର ପାଇଁ ୨୦୧୪ରେ ଟିମ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୧୬ ଟି-୨୦ ବିଶ୍ୱକପ୍ ପରେ ସରିବା ପରେ କୁମ୍ବଲେଙ୍କୁ କୋଚ ପଦରେ ରଖାଯାଇଥିଳା । ତେବେ ଚାମ୍ପିୟନ୍ସ ଟ୍ରଫିରେ ହାରିବା ପରେ ପୁନର୍ବାର ୨୦୧୭ରେ ଶାସ୍ତ୍ରୀଙ୍କୁ ପୂର୍ଣ୍ଣକାଳୀନ କୋଚ ନିଯୁକ୍ତ କରାଯାଇଥିଲା । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବା ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପର୍ଯ୍ୟନ୍ତ ଯିବାକୁ ସକ୍ଷମ ହୋଇପାରିଥିଲା ।

Get real time updates directly on you device, subscribe now.