କିଏ ହେବ ଦିଲ୍ଲୀର ‘ଦିଲୱାଲା’? IPL-2025ରେ କାହା ହାତକୁ ଯିବ DC ନୂଆ ଅଧିନାୟକ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ମେଗା ନିଲାମୀ ପରେ ବର୍ତ୍ତମାନ ସମସ୍ତ ଦଳ ଫାଇନାଲ ହୋଇସାରିଛି । ଏହି ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିନାହିଁ । ତେଣୁ ଲକ୍ଷେ୍ନø ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ଋଷଭ । ଏପଟେ ଦିଲ୍ଲୀ କ୍ୟାପିଟାଲ୍ସ କେ.ଏଲ ରାହୁଲ ଏବଂ ଫାଫ୍ ଡୁ ପ୍ଲେସିସଙ୍କୁ ଦଳରେ ସାମିଲ କରିଛି । ତେବେ ଋଷଭଙ୍କ ପରେ ଦଳର ନେତୃତ୍ୱ କିଏ ନେବେ ବୋଲି ପ୍ରଶ୍ନ ଉଠିଛି । ଆଇପିଏଲ-୨୦୨୫ ପାଇଁ ନୂଆ ଅଧିନାୟକଙ୍କ ସନ୍ଧାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମେଗା ଅକ୍ସନ ପରେ ଏହି ଦାୟିତ୍ୱ କାହାକୁ ମିଳିବ, ସେ ନେଇ ଏବେ ଆଲୋଚନା ଚାଲିଛି ।

କେ.ଏଲ ରାହୁଲ: ଚଳିତବର୍ଷ ମେଗା ଅକ୍ସନରେ ଦିଲ୍ଲୀ କେ.ଏଲ ରାହୁଲଙ୍କୁ ୧୪ କୋଟିରେ ଦଳରେ ସାମିଲ କରିଛି । ତେଣୁ ଦିଲ୍ଲୀର ଅଧିନାୟକ ପଦ ପାଇଁ ରାହୁଲଙ୍କ ନାଁ ସବୁଠାରୁ ଆଗରେ ରହିଛି । ଲକ୍ଷେ୍ନø ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗସ ପାଇଁ ନେତୃତ୍ୱ ନେଇ ସାରିଥିବା ରାହୁଲ ଆଗାମୀ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଓପନିଙ୍ଗ ବ୍ୟାଟିଂ ସହ ରାହୁଲ ୱିକେଟ କିପିଙ୍ଗ ଏବଂ ନେତୃତ୍ୱ ନେଇପାରିବେ ।

ଅକ୍ସର ପଟେଲ: ଅଧିନାୟକ ପଦ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ୱିତୀୟ ବିକଳ୍ପ ଭାବରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ଗତ ସିଜନରେ ଋଷଭଙ୍କ ନେତୃତ୍ୱରେ ଅକ୍ସର ପଟେଲ ଉପ-ଅଧିନାୟକ ପଦ ସମ୍ଭାଳିଥିଲେ । ଏହାବ୍ୟତୀତ ଆଗାମୀ ସିଜନ ପାଇଁ ସର୍ବାଧିକ ଆମାଉଣ୍ଟରେ ଦିଲ୍ଲୀ ତାଙ୍କୁ ରିଟେନ୍ ମଧ୍ୟ କରିଛି । ତେଣୁ ରାହୁଲଙ୍କ ପରେ ଅକ୍ସର ପଟେଲ ହିଁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ନେଇପାରନ୍ତି । ତେବେ ରାହୁଲ ଅଧିନାୟକ ହେଲେ, ଅକ୍ସର ପଟେଲ ନିଜର ଉପ-ଅଧିନାୟକ ଭୂମିକା ତୁଲାଇପାରିବେ ।

ଫାଫ୍ ଡୁ ପ୍ଲେସିସ: ରାହୁଲ ଏବଂ ଅକ୍ସରଙ୍କ ପରେ ଦିଲ୍ଲୀ ପାଖରେ ତୃତୀୟ ଅଧିନାୟକ ବିକଳ୍ପ ମଧ୍ୟ ରହିଛି । ଆଇପିଏଲ-୨୦୨୫ ମେଗା ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଫ୍ ଡୁ ପ୍ଲେସିସଙ୍କୁ ସାମିଲ କରିଛି । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ୱ ଦେଇପାରେ । ଚେନ୍ନାଇ ସୁପର କିଙ୍ଗସ ଏବଂ ଆରସିବି ପାଇଁ ଡୁ ପ୍ଲେସିସ ନିଜର ବ୍ୟାଟିଂ ଜଲୱା ଦେଖାଇ ସାରିଛନ୍ତି । ତେଣୁ ଦିଲ୍ଲୀ ତାଙ୍କ ନାମକୁ ମଧ୍ୟ ଏହି ଦାୟିତ୍ୱ ପାଇଁ ଚର୍ଚ୍ଚା କରିପାରେ ।