ନୂଆଦିଲ୍ଲୀ: ବିଭିନ୍ନ ଆଇସିସି ଇଭେଣ୍ଟରେ ବାରମ୍ବାର ଫେଲ ହେଉଛି ପାକିସ୍ତାନ । ଦିନିକିଆ ବିଶ୍ୱକପ ପରେ ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ଉଭୟ ବିଶ୍ୱକପରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ବିଫଳ ହୋଇଛି ପାକିସ୍ତାନ । ଯାହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ପାକ୍ ଦଳରେ ଏକ ବଡ଼ ସର୍ଜରୀର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ବୟାନ ଦେଇଥିଲେ । ଏହାଭିତରେ ପାକ୍ ଚୟନକର୍ତ୍ତା ସମିତିରୁ ୱହାବ ରିୟାଜ ଏବଂ ଅବଦୁଲ ରଜ୍ଜାକଙ୍କୁ ବାଦ୍ ଦିଆଯାଇଛି । ଏହାପରେ ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଇ ଦିଆଯାଇପାରେ ବୋଲି ଆଲୋଚନା ହେଉଛି ।
ପୂର୍ବତନ ପାକ୍ କ୍ରିକେଟର ସରଫରାଜ ଅହମଦ କହିଛନ୍ତି ଯେ, ଯଦି ସିଷ୍ଟମକୁ ଉଚିତ ରାସ୍ତାରେ ଆଣିବାକୁ ହୁଏ, ତେବେ ଏକ ବଡ଼ ସର୍ଜରୀର ଆବଶ୍ୟକ ରହିଛି । ବୋର୍ଡରେ ୩ ଜଣିଆ ଚୟନ ସମିତି ହେବା ଆବଶ୍ୟକ । ୱହାବ ଏବଂ ଅବଦୁଲ ରଜାକଙ୍କୁ ବାଦ୍ ଦେବା ହିଁ ଯଥେଷ୍ଟ ହେବ ନାହିଁ ବୋଲି କହିଛନ୍ତି ସରଫରାଜ । ଅସଦ ସଫିକ ଏବଂ ମହମ୍ମଦ ୟୁସୁଫ ମଧ୍ୟ ଏଭଳି କରିବାରେ ସକ୍ଷମ ହୋଇପାରିବେ ନାହିଁ । ଏହାସହିତ ପାକ୍ ଅଦିନାୟକ ସରଫରାଜ ଅହମଦଙ୍କୁ ଅଧିନାୟକ ପଦରୁ ବାଦ୍ ଦେଇ ଅନ୍ୟ ଜଣଙ୍କୁ ଦଳର ନେତୃତ୍ୱ ପ୍ରଦାନ କରିବାକୁ ସେ ଅପିଲ କରିଛନ୍ତି । ତେବେ କିଏ ହେବେ ଏହି ଖେଳାଳି? ବାବରଙ୍କ ସ୍ଥାନରେ ନେତୃତ୍ୱ ନେବା ପାଇଁ ମହମଦ ରିଜୱାନ ହିଁ ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରନ୍ତି । କାରଣ ତାଙ୍କ ନିକଟରେ ସେହି ନେତୃତ୍ୱ ନେବାର ଦକ୍ଷତା ରହିଛି । ଏହାବ୍ୟତୀତ ଘରୋଇ କ୍ରିକେଟରେ ସେ ନେତୃତ୍ୱ ନେଇ ସାରିଛନ୍ତି ।
ଏହାପରେ ସରଫରାଜ କହିଛନ୍ତି ଯେ, କେପିକେକୁ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟରେ ବିଜୟ ଦେଇ ନିଜ ନେତୃତ୍ୱର ପରିଚୟ ଦେଇଛନ୍ତି ରିଜୱାନ । ଏହାବ୍ୟତୀତ ମୁଲତାନ ସୁଲତାନର ଅଧିନାୟକ ଭାବରେ ତାଙ୍କର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ତେଣୁ ପାକ୍ ଦଳର ଅଧିନାୟକ ଭାବରେ ମଧ୍ୟ ସେ ଭଲ ବିକଳ୍ପ ହୋଇପାରନ୍ତି । ତେବେ ବାବର ଆଜମଙ୍କ ଆତ୍ମବିଶ୍ୱାସ କମ୍ ରହୁଛି, ତେଣୁ ତାଙ୍କୁ ଅଦିନାୟକ ପଦ ନ ଦେବା ଉଚିତ ବୋଲି କହିଛନ୍ତି ସରଫରାଜ ଅହମଦ । ସରଫରାଜଙ୍କ ନେତୃତ୍ୱରେ ପାକିସ୍ତାନ ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଥିଲା ।