ନୂଆଦିଲ୍ଲୀ: ଆଜି ଆସିବ ଜନାଦେଶ । ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। ଓଡ଼ିଶାରେ କିଏ ସରକାର ଗଢ଼ିବ? ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହୋଇଥିଲା । ଏହାପରେ ମାରାଥନ ପ୍ରଚାର ଅଭିଯାନ ଚାଲିଲା । ପୁଣି ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେଲା । ତାରିଖ ଘୋଷଣାରୁ ଭୋଟ ଗଣତି ପର୍ଯ୍ୟନ୍ତ ପ୍ରାୟ ୮୦ ଦିନ ବିତିଛି । ଆଜି ଏହି ୮୦ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି ।
ଆସିବ ଭୋଟରଙ୍କ ରାୟ । ୭୫୧ ଦଳର ମୋଟ ୮,୩୬୦ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ହେବ ।
ଜୁନ୍ ୪ (ମଙ୍ଗଳବାର)ରେ ୫୪୩ ଲୋକସଭା ଏବଂ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଘଣ୍ଟାଏ ପରେ ଜନତା ଦେଖିବେ ଟ୍ରେଣ୍ଡ । କିଏ ଆଗୁଆ ଓ କିଏ ପଛୁଆ ତାହା ଜାଣିବା ଲାଗି ଟିଭି ଉପରେ ରହିବ ନଜର । ପ୍ରତି କ୍ଷଣରେ ନେତାଙ୍କ ଛାତି ଧଡ଼ଧଡ଼ ହେବ ଏବଂ ଜନତାଙ୍କ ଉତ୍କଣ୍ଠାର ପାରଦ ଉପରମୁହାଁ ହୋଇଚାଲିବ । ଅଷ୍ଟାଦଶ ଲୋକସଭା କାହାର, ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ସ୍ପଷ୍ଟ ହେବା ସମ୍ଭାବନା ରହିଛି ।
ଭୋଟ ଗଣତି ଯେତିକି ଆଗକୁ ବଢ଼ିବ, ଜଣେ ପରେ ଜଣେ ପ୍ରାର୍ଥୀ ଭାଗ୍ୟର ନିଷ୍ପତ୍ତି ହୋଇଚାଲୁଥିବ । କେଉଁଠି ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଉତ୍ସବ ମନାଇବେ ତ କେଉଁଠି ବିଫଳ ପ୍ରାର୍ଥୀଙ୍କୁ ଲାଗିବ ଝଟକା । ତେବେ ଏହା ପୂର୍ବରୁ ଏଗ୍ଜିଟ୍ ପୋଲ୍ ରିପୋର୍ଟ ଏନ୍ଡିଏ ହାଟ୍ରିକ ମାରିବ ବୋଲି କହିସାରିଛି । ଲୋକସଭାରେ ମୋଟ ୫୪୩ ଆସନ ରହିଥିବା ବେଳେ ମ୍ୟାଜିକ୍ ଅଙ୍କ ୨୭୨ ରହିଛି ।
ଏଥର ମୋଟ ୮,୩୬୦ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଇଛନ୍ତି । ଜାତୀୟ ଦଳରୁ ୧,୩୩୩, ଆଞ୍ଚଳିକ ଦଳରୁ ୫୩୨, ଅଣସ୍ୱୀକୃତିପ୍ରାପ୍ତ ଦଳରୁ ୨,୫୮୦ ଏବଂ ୩,୯୧୫ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ୨୦୧୯ରେ ମୋଟ ୭,୯୨୮ ଓ ୨୦୧୪ରେ ୮,୨୦୫ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଲମ୍ଫ ଦେଇଥିଲେ ।
ମଙ୍ଗଳବାର ୮ଟାରେ ଭୋଟ ଗଣତି ଆରମ୍ଭ ହେବା ପରେ ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରତି କ୍ଷଣର ଅପ୍ଡେଟ୍ ଦେଖିହେବ । ତେବେ ଏଥିପାଇଁ ୱେବ୍ସାଇଟ୍ର ଉପରେ ଦେଖାଯାଉଥିବା ‘ଜେନେରାଲ ଇଲେକ୍ସନ୍ ୨୦୨୪’ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏଥିସହ ନିର୍ବାଚନ କମିଶନ ସହ ଜଡ଼ିତ ଭୋଟର ହେଲ୍ପଲାଇନ ଆପ୍ ଡାଉନ୍ଲୋଡ୍ କରି ବି ସହଜରେ ଫଳାଫଳ ଜାଣିହେବ । ଏହାବ୍ୟତୀତ ଜନତା ନିଜ ସ୍ମାର୍ଟଫୋନ୍ରେ ଏକାଧିକ ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ଦିଆଯାଉଥିବା ପ୍ରତି କ୍ଷଣର ଅପ୍ଡେଟ୍କୁ ବି ଦେଖିପାରିବେ । ଘରେ ବସି ଟିଭିରେ ମଧ୍ୟ ଫଳାଫଳ ଜାଣିହେବ ।
ସର୍ବପ୍ରଥମେ ପୋଷ୍ଟାଲ ବାଲଟ୍ର ଗଣତି ହେବ । ଏହାପରେ ଇଭିଏମ୍ ଭୋଟ୍ ଗଣନା କରାଯିବ । ପୋଷ୍ଟାଲ ବାଲଟ୍ରେ ବି ଦୁଇପ୍ରକାର ମତଗଣନା ହେବ । ପ୍ରଥମେ ସେନା, ଅର୍ଦ୍ଧସାମରିକ ବଳର ଯବାନ ଏବଂ ଅଧିକାରୀଙ୍କ ଭୋଟ ଗଣତି କରାଯିବ । ଏହାପରେ ଦ୍ୱିତୀୟ ବର୍ଗରେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ, ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ପୋଷ୍ଟାଲ ବାଲଟ୍ ଗଣାଯିବ । ଇଭିଏମ୍କୁ ଭିଭିପାଟ ସହ ମିଳାଯିବା, ଭିଭିପାଟ ଚିଠା ଗଣନା ଏବଂ ପୋଷ୍ଟାଲ ବାଲଟ୍କୁ ମିଶାଇ ସନ୍ଧ୍ୟା ୬ଟା ସୁଦ୍ଧା ସବୁ ଆସନରେ ଫଳାଫଳ ଘୋଷଣା କରାଯିବ ।
ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ଏହାର ତୃତୀୟ ପାଳି ଆରମ୍ଭ ପାଇଁ ତତ୍ପର ହୋଇଥିବା ବେଳେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ୨୯୫ ଆସନ ଜିତି ସରକାର ଗଢ଼ିବା ପାଇଁ ଆଶା ରଖିଛି । କିନ୍ତୁ ବିରୋଧୀଙ୍କ ଏହି ଆଶାକୁ ଏଗ୍ଜିଟ୍ ପୋଲ୍ ରିପୋର୍ଟ ଆଗୁଆ ଭାଙ୍ଗିଦେଇଛି । ଗୋଟିଏ ଏଜେନ୍ସି ଏନ୍ଡିଏ ୪୦୦ରୁ ଅଧିକ ଆସନ ପାଇବା ନେଇ ଆକଳନ କରିଛି । ୧୩ଟି ଏଗ୍ଜିଟ୍ ପୋଲ୍ର ପୋଲ୍ ଅଫ୍ ପୋଲ୍ସରେ ଏନ୍ଡିଏକୁ ୩୬୫ ଓ ‘ଇଣ୍ଡିଆ’କୁ ୧୪୫ ଆସନ ମିଳିବା ନେଇ ଅନୁମାନ ଲଗାଯାଇଛି । ଅନ୍ୟମାନେ ୩୨ ପାଇବା ନେଇ ଆକଳନ ହୋଇଛି । ଏଥର ବିଜେପି ଏହାର ୨୦୧୯ ଅଙ୍କ (୩୦୩)କୁ ପାର୍ କରିଯିବା ନେଇ ଦୃଢ଼ ଆଶା ବାନ୍ଧିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭଳି ବିଜେପିର ଶୀର୍ଷ ନେତାମାନେ ଦଳ ୩୭୦ ଆସନ ପାଇବା ନେଇ ପ୍ରଚାର ଅଭିଯାନରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏନ୍ଡିଏ ୪୦୦ ପାର୍ କରିବା ନେଇ କହିଥିଲେ ।
ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଭଳି ହିନ୍ଦୀଭାଷୀ ରାଜ୍ୟ ଓ ଦିଲ୍ଲୀରେ ବିଜେପିକୁ ଏକତରଫା ବିଜୟ ମିଳିବା ସମ୍ଭାବନା ରହିଛି । ଏଠାରେ ଦଳକୁ ୯୦%ରୁ ଅଧିକ ଆସନ ମିଳିପାରେ । ମଧ୍ୟ ପ୍ରଦେଶରେ ଥିବା ମୋଟ ୨୯ ଆସନରୁ ବିଜେପିକୁ ୨୮-୨୯ ଏବଂ ରାଜସ୍ଥାନର ୨୫ ଆସନରୁ ୨୩-୨୫ ଆସନ ମିଳିବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗରେ ମୋଟ ୪୨ ଆସନ ମଧ୍ୟରୁ ବିଜେପିକୁ ୨୬ରୁ ୩୧ଟି ମିଳିପାରେ । ଓଡ଼ିଶା ଓ ତେଲଙ୍ଗାନାରେ ବିଜେପି ଏହାର ଆସନ ସଂଖ୍ୟା ଦୁଇଗୁଣା ବଢ଼ାଇବା ନେଇ ସମ୍ଭାବନା ରହିଛି ।