ରାଜନଗର ବିଧାନସଭା ଲଢ଼େଇ: ୨୦୨୪ ନିର୍ବାଚନରେ ଜନତା କାହାକୁ ବାଛିବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଟିକେଟ ପାଇବା ପାଇଁ ଲୋକସଭା ଓ ବିଧାନସଭାର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଟିକେଟ କଟିବା ପରେ କିଛି ନେତା ନିଜ ଦଳ ଛାଡ଼ି ଅନ୍ୟ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ଏଥର କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ବିଧାନସଭା କ୍ଷେତ୍ର ରାଜନଗର ଆସନ ଉପରେ ସଭିଙ୍କ ନଜର ରହିଛି । ଏହି ଆସନ ପାଇଁ ଏଥର ମୋଟ ୯ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡିରୁ ଧ୍ରୁବ ଚରଣ ସାହୁ, ବିଜେପିରୁ ଲଳିତ କୁମାର ବେହେରା ଓ କଂଗ୍ରେସରୁ ଅଶୋକ କୁମାର ପ୍ରତିହାରୀ ନିର୍ବାଚନ ଲଢ଼ୁଛନ୍ତି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧ୍ରୁବ ୧୮ ହଜାର ଭୋଟରେ ବିଜୟୀ ହୋଇଥିବା ବେଳେ ଏଥର ଦଳ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି ।

ଗତ ଥର ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଂଶୁମାନ ମହାନ୍ତି ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ୁଛନ୍ତି । ୨୦୧୪ରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜୟୀ ହୋଇଥିବା ବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ଅଲେଖ କୁମାର ଜେନା ବିଜୟୀ ହୋଇଥିଲେ । ସେହିପରି ୧୯୭୭ ମସିହା ଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଏହି ଆସନରୁ ନଳିନୀ କାନ୍ତ ମହାନ୍ତି କ୍ରମାଗତ ଭାବେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା କଂଗ୍ରେସ ନେତା ଅଂଶୁମାନ ଏବେ ବିଜେଡିରେ ସାମିଲ ହୋଇଥିବାରୁ ତାହା ଶଙ୍ଖ ଦଳକୁ ଫାଇଦା ଦେଇପାରେ । ସେହିପରି ଯୁବ ନେତା ଲଳିତ କୁମାରଙ୍କ ଉପରେ ଏଥର ବିଜେପି ଭରସା କରିଥିବା ବେଳେ ଅଶୋକ କୁମାରଙ୍କ ଉପରେ କଂଗ୍ରେସ ଭରସା କରିଛି ।

ବିଜେଡି ଏଥର ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡକୁ ଆଧାର କରି ଜନତାଙ୍କ ନିକଟରେ ଭୋଟ ଭିକ୍ଷା କରୁଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର କେନ୍ଦ୍ରୀୟ ନେତୃବୃନ୍ଦ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋ’ କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । ନିକଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟକୁ ଆସିଥିବା ବେଳେ ଆଗକୁ ବରିଷ୍ଠ ନେତା ରାହୁଲ ଗାନ୍ଧି ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ରାଜନଗରବାସୀ ଏଥର କାହାକୁ ବିଜୟୀ କରାଉଛନ୍ତି ତାହା ଫଳାଫଳ ଆସିବା ପରେ ଜଣାପଡ଼ିବ ।