fbpx

ଆମେରିକାର ପାକିସ୍ତାନ ପ୍ରେମ ହଠାତ୍ ବଢ଼ିଗଲା କିପରି: ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି କି ଦୁଇଦେଶ

ନୂଆଦିଲ୍ଲୀ: ଅତୀତରେ ଆମେରିକା-ପାକିସ୍ତାନର ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ଆମେରିକା ପାକିସ୍ତାନକୁ ସାହାଯ୍ୟ କରିବାର ପରିଣାମ ପରୋକ୍ଷରେ ଭୋଗିଥିଲା ଭାରତ । ତେବେ ଏହା ମଧ୍ୟରେ ଅନେକ ବର୍ଷ ବିତିଯିବା ପରେ ଭାରତ-ଆମେରିକା ସମ୍ପର୍କରେ ଅନେକ କିଛି ପରିବର୍ତ୍ତନ ଆସିଥିଲା । ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କଠାରୁ ଆରମ୍ଭ କରି ଡୋନାଲ୍ଡ ଟ୍ରମ୍ପଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶ୍ୱସ୍ତ ବନ୍ଧୁ ପାଲଟି ଯାଇଥିଲେ ।

ତେବେ ପୁଣି ଥରେ ଅତୀତର କାୟା ପଲଟିବାକୁ ଯାଉଛି । ଆମେରିକା ହଠାତ୍ ପାକିସ୍ତାନ ଆଡ଼କୁ ଢଳିବା ନେଇ ଭାରତର ଚିନ୍ତା ବଢ଼ି ଦେଇଛି । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ମିଳିତ ଜାତିସଂଘରେ ଅନେକ ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଏକାଧିକ ରୁଷ ବିରୋଧୀ ପ୍ରସ୍ତାବ ଭୋଟିଂରୁ ଭାରତ ବିରତ ରହିବା ପରୋକ୍ଷରେ ରୁଷ ସପକ୍ଷରେ ଯାଇଥିଲା । ଯାହାକି ଆମେରିକାର ହଜମ ହୋଇ ନଥିଲା । ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ନିଜର ମତାମତ ସ୍ପଷ୍ଟ କରୁ ବୋଲି ମଧ୍ୟ ଆମେରିକା ପକ୍ଷରୁ ଅନେକ ବାର କୁହାଯାଇଥିଲା । ଏଥିସହିତ ଆମେରିକାର ଚାପକୁ ବେଖାତିର କରି ଆମେରିକା ଖୋଲାଖୋଲି ଭାବେ ରୁଷଠାରୁ ଶସ୍ତାରେ ତେଲ କିଣି ଚାଲିଛି ।

ଭାରତକୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିବା ଆମେରିକା ଏବେ ନୂଆ ଚାଲ ଖେଳିଛି । ଆମେରିକାର ଭାରତ ବିରୋଧୀ ଆଭିମୁଖ୍ୟ ଏବେ ଜଣାପଡ଼ିଲାଣି । ଆମେରିକା ହଠାତ୍ ପାକିସ୍ତାନକୁ ସାମରିକ ଅସ୍ତ୍ରଶସ୍ତ୍ର ସହାୟତା ପ୍ରଦାନ କରିଛି । ଗୋଟିଏ ପଟେ ଆମେରିକା ଓ ପଶ୍ଚିମ ଦେଶ ସମୂହ ରୁଷ ଉପରେ କଟକଣା ଲାଗୁ କରିଥିବା ବେଳେ ଅନ୍ୟପଟେ ଭାରତ-ରୁଷର ବନ୍ଧୁତା ବଢ଼ିବାରେ ଲାଗିଛି । ତେଣୁ କଳେବଳେ କୌଶଳରେ ଭାରତର ଦୁର୍ବଳତା ‘ଜମ୍ମୁ କଶ୍ମୀର ପ୍ରସଙ୍ଗ’ରେ ମୁଣ୍ଡ ଭର୍ତ୍ତି କରିଛି ଆମେରିକା । ତେବେ ଏଠାରେ ପ୍ରଶ୍ନଉଠେ, ଭାରତ କ’ଣ ଆମେରିକାଠାରୁ ଦୂରତା ଅବଲମ୍ବନ କରୁଛି ନା ଆମେରିକାର ଏହା ଷଡ଼ଯନ୍ତ୍ର । ପାକିସ୍ତାନକୁ ଢାଲ କରି ଆମେରିକା ଭାରତ ଉପରେ ଚାପ ପ୍ରୟୋଗ କରି ରୁଷକୁ ତଳିତଳାନ୍ତ କରିବାକୁ ଚେଷ୍ଟା କରୁ ନାହିଁ ତ ।

Get real time updates directly on you device, subscribe now.