fbpx

କାହିଁକି ଜନସାଧାରଣଙ୍କୁ କ୍ଷମା ମାଗିଲେ ବାଂଲାଦେଶର ନୂଆ ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ପୁଲିସର ଭୂମିକାକୁ ନେଇ ବାଂଲାଦେଶର ନୂଆ ଆଇଜି ମହମ୍ମଦ ମୋଇନୁଲ ଇସଲାମ ଦୁଃଖ ପ୍ରକାଶ କରିଛନ୍ତି। ମୋଇନୁଲ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଇଜି ପି ମୋଇନୁଲ ଇସଲାମ କହିଛନ୍ତି, ବର୍ତ୍ତମାନର ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ଆମ ଅଧିକାରୀମାନେ ଆଶାନୁରୂପ କର୍ତ୍ତବ୍ୟ ପାଳନ କରିନାହାନ୍ତି। ବାଂଲାଦେଶ ପୁଲିସ ପକ୍ଷରୁ ମୁଁ ପୁଲିସ ମୁଖ୍ୟ ଭାବେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି।

ବାଂଲାଦେଶ ପୋଲିସର ନୂତନ ଆଇଜି ମଧ୍ୟ ବିଶ୍ୱାସ କରନ୍ତି ଯେ ଆନ୍ଦୋଳନ ସମୟରେ ଘଟିଥିବା ଘଟଣା ପାଇଁ କିଛି ପୋଲିସ ଅଧିକାରୀ ମଧ୍ୟ ଦାୟୀ। ଆମର କିଛି ଦାୟିତ୍ୱହୀନ ଅଧିକାରୀ ଠିକ୍ ଭାବେ କାମ କରୁନଥିବାରୁ ମାନବାଧିକାର ଉଲ୍ଲଂଘନ ହୋଇଛି। ନେତୃତ୍ୱର ବିଫଳତା କାରଣରୁ ଆମର ଅନେକ ସହକର୍ମୀ ଆହତ ହୋଇଛନ୍ତି ଏବଂ ଅନେକ ମୃତ୍ୟୁବରଣ କରିଛନ୍ତି। ପୁଲିସ ନିୟମ ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତ୍ୟେକ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

ଆମେ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସମସ୍ତ ପୁଲିସ ୟୁନିଟ୍ ଯଥା ରାଜବାଗ ପୁଲିସ ଲାଇନ୍ସ, ପିଓଏମ୍, ଏପିବିଏନ୍, ସମସ୍ତ ମେଟ୍ରୋପଲିଟାନ୍ ଓ ଜିଲ୍ଲା ପୁଲିସ ଲାଇନ୍ କୁ କାର୍ଯ୍ୟରେ ଯୋଗ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ବରିଷ୍ଠ ନାଗରିକ, ପେସାଦାର, ଛାତ୍ର ପ୍ରତିନିଧି, ରାଜନୈତିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ବେସାମରିକ ସୁରକ୍ଷା କମିଟି ଗଠନ କରିବାକୁ ମେଟ୍ରୋପଲିଟାନ୍ ପୁଲିସ କମିଶନର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ କୁହାଯାଇଛି।

Get real time updates directly on you device, subscribe now.