ଓଡିଶା ଭାସ୍କର: ପୁରାଣ ଅନୁଯାୟୀ ଧନର ଦେବତା କୁବେର । ତାଙ୍କ ଭଣ୍ଡାର ଧନ, ଧାନ୍ୟରେ ପୂର୍ଣ୍ଣ । ଥରେ ସେ ବିଷ୍ଣୁଙ୍କୁ ମଧ୍ୟ ଦାନ ଦେଇଥିବା ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ଲକ୍ଷ୍ମୀ ଯାହାଙ୍କ ଘରଣୀ ସେ କାହିଁକି କୁବେରଙ୍କ ନିକଟରେ ହାତ ପତେଇଥିଲେ? କଣ ଲକ୍ଷ୍ମୀ ବିଷ୍ଣୁଙ୍କ ପ୍ରତି ରୁଷ୍ଟ ଥିଲେ ଓ ବିଷ୍ଣୁଙ୍କର ଅର୍ଥାଭାବ ପାଇଁ ତାଙ୍କୁ କୁବେରଙ୍କ ନିକଟରେ ହାତ ପତେଇବାକୁ ହୋଇଥିଲା?
ପୌରାଣିକ କଥା ଅନୁଯାୟୀ, ଏକଦା ଚନ୍ଦ୍ରବଂଶର ରାଜାଙ୍କ ଘରେ ଦେବୀ ଲକ୍ଷ୍ମୀ ପଦ୍ମାବତୀ ନାମରେ ଜନ୍ମଗ୍ରହଣ କରିଥିଲେ । ସେହିପରି ଭଗବାନ ବିଷ୍ଣୁ ମଧ୍ୟ ବିଷ୍ଣୁ ଏକ ଋଷି ଦମ୍ପତିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲେ ଓ ତାଙ୍କ ନାଁ ଥିଲା ଶ୍ରୀନିବାସ । ଉଭୟ ଶଶୀକଳା ପରି ବଢୁଥିଲେ ନିଜ ନିଜ ଘରେ । ଯୁବକ ଅବସ୍ଥାରେ ଉପନୀତ ହେବା ପରେ ଶ୍ରୀନିବାସ ଥରେ ଜଙ୍ଗଲକୁ ଶିକାର କରିବାକୁ ଗଲେ । ସେ ଜଙ୍ଗଲରେ ବୁଲୁଥିବା ବେଳେ ଏକ ହାତୀର ପିଛା କରି କରି ଏକ ଉଦ୍ୟାନରେ ପହଞ୍ଚିଲେ ।
ଉଦ୍ୟାନକୁ ହାତୀ ପଶି ଆସିବା ଦେଖି ପଦ୍ମାବତୀ ଭୟଭୀତ ହୋଇପଡିବା ସମୟରେ ଶ୍ରୀନିବାସ ସେଠାରେ ପହଞ୍ଚି ହାତୀକୁ ଜଙ୍ଗଲ ଆଡକୁ ତଡିଦେଲେ । ଏଥିରେ ଆଶ୍ୱସ୍ତ ହୋଇ ପଦ୍ମାବତୀ ଶ୍ରୀନିବାସଙ୍କୁ ଧନ୍ୟବାଦ ଜଣାଇଲେ । ଉଭୟ ଉଭୟଙ୍କୁ ଦେଖି ପରସ୍ପର ପ୍ରତି ଆକୃଷ୍ଟ ହେଲେ । ଏହା ଜଣାପଡିବା ପରେ ପଦ୍ମାବତୀଙ୍କ ବାପା ମାଆ ଶ୍ରୀନିବାସଙ୍କ ପରିବାରକୁ ବିବାହର ପ୍ରସ୍ତାବ ଦେଲେ । ଏଥିରେ ଶ୍ରୀନିବାସ ଓ ତାଙ୍କ ମାଆ ବହୁତ ଖୁସି ହେଲେ । କିନ୍ତୁ ବିବାହରେ ସମସ୍ୟା ହେଲା ଅର୍ଥ ।
ତେଣୁ ଶ୍ରୀନିବାସଙ୍କ ମାଆ ବାକୁଲା ଦେବୀ ତ୍ରିଦେବଙ୍କୁ ଆବାହନ କଲେ । ତ୍ରିଦେବଙ୍କୁ ସାଖି ରଖି କୁବେରଙ୍କଠାରୁ ବିବାହ ପାଇଁ ଅର୍ଥ ଉଧାର ନେଲେ । ହେଲେ ଏହି ଅର୍ଥ କେମିଦି ଓ କେତେ କାଳରେ ପଇଠ କରିବ ବୋଲି କୁବେଲ ପଚାରିବାରୁ ବିଷ୍ଣୁ କହିଥିଲେ, ଏଥିପାଇଁ ହୁଏତ କଳି ଯୁଗ ଶେଷ ହୋଇଯିବ । କଳିଯୁଗରେ ଯେଉଁ ଦାନ, ଧର୍ମ ହେବ ମୋ ନିକଟରେ, ତାହାକୁ ଦେଇ ଦେଇ ମୁଁ ଋଣମୁକ୍ତ ହେବି ।