ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆମେ ଚାପଗ୍ରସ୍ତ ଅନୁଭବ କରିଥାଉ । ଫଳରେ ମସ୍ତିଷ୍କ ଥକିଯିବା କାରଣରୁ ଆମକୁ ନିଦ ମାଡ଼ିଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଆହାର ସେବନ ଏହାର ଅନ୍ୟ ଏକ କାରଣ । କିନ୍ତୁ ବେଳେ ବେଳେ ପାଠ ପଢ଼ିବା ସମୟରେ ଆମକୁ ଅଳସୁଆ ଅନୁଭବ ହୋଇଥାଏ ଓ ନିଦ ମାଡ଼ିଆସେ । ବିଶେଷକରି ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ସେମାନଙ୍କ ସ୍ମରଣଶକ୍ତି ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ନିଦ ଆସିବା ପଛରେ ମଧ୍ୟ ବିଜ୍ଞାନ ରହିଛି । ଆଖି ଉପରେ ଅଧିକ ଚାପ ପଡ଼ିଲେ ଏହାର ମାଂସପେଶୀ ଶିଥିଳ ହୋଇଥାଏ ଏବଂ ମସ୍ତିଷ୍କ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଇଥାଏ । ଫଳରେ ନିଦ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ।
୧. ଅଧିକ ମାନସିକ କାର୍ଯ୍ୟ: ଅତ୍ୟାଧିକ ପାଠପଢ଼ା, ଦୀର୍ଘ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର କିମ୍ବା ଲାପଟପରେ କାମ କରିବା ଦ୍ୱାରା ମସ୍ତିଷ୍କ ଥକିଯାଏ । ଫଳରେ ମାନସିକ ଥକ୍କାପଣ ଶରୀର ଉପରେ ପ୍ରଭାବ ପକାଇଥାଏ ଏବଂ ଆମକୁ ନିଦ ଆସିଥାଏ ।
୨. ଅନିୟମିତ ସ୍ଲିପ୍ ସାଇକେଲ: ସୁସ୍ଥ ଜୀ ବନଶୈଳୀ ପାଇଁ ସୁନିଦ୍ରା ଅତ୍ୟନ୍ତ ଜରୁରୀ । ଶୋଇବା ସମୟରେ ଅନିୟମିତତା ଦେଖାଦେଲେ ଅସମୟରେ ନିଦ ଆସିଥାଏ ।
୩. ଅସନ୍ତୁଳିତ ଆହାର: ଅସନ୍ତୁଳିତ ଆହାର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଏହାର ସେବନ କରିବା ଦ୍ୱାରା ଶରୀରକୁ ଉଚିତ ପୋଷଣ ମିଳିନଥାଏ ଏବଂ ଆମେ ଥକ୍କାପଣ ଅନୁଭବ କରିଥାଉ ।
୪. ପଢ଼ିବା ସମୟରେ ଭୁଲ ଅଭ୍ୟାସ: ଦୀର୍ଘ ସମୟ ଧରି ଗୋଟିଏ ପୋଜିସନରେ ପାଠପଢ଼ିବା ଦ୍ୱାରା ଉଭୟ ଶରୀର ଓ ମସ୍ତିଷ୍କ ଶୀଘ୍ର ଥକିଯାଏ । ଏହା ବାଦ୍ କୌଣସି ବିଷୟରେ ରୁଚି ନଥିଲେ ଏହା ଏକ ବୋଝ ପରି ମନେ ହୁଏ ଓ ଶୀଘ୍ର ନିଦ ଆସିଥାଏ ।
୫. ସ୍ୱାସ୍ଥ୍ୟ ସମସ୍ୟା: ରକ୍ତହୀନତା, ଥାଇରଏଡ୍, ଡିପ୍ରେସନ୍ ଆଦି ଭଳି ସମସ୍ୟା ପାଇଁ ବ୍ୟକ୍ତିଙ୍କୁ ଅସମୟରେ ନିଦ ଆସିଥାଏ ।
ପଢ଼ିବା ସମୟରେ କିପରି ନିଦକୁ ଏଡ଼ାଇ ପାରିବେ ?
– ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥାତ ୭-୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ।
– ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ସେବନ କରନ୍ତୁ । ଡାଏଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଡାଲି, କ୍ଷୀର ଜାତୀୟ ପଦାର୍ଥ ଇତ୍ୟାଦି ସାମିଲ କରନ୍ତୁ । ଯେତେଦୂର ସମ୍ଭବ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ ।
– ଏକକାଳୀନ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପଢ଼ି ୩୦-୪୫ ମିନିଟରେ ୫-୧୦ ମିନିଟର ବ୍ରେକ୍ ନିଅନ୍ତୁ । ପାଠପଢ଼ା ପାଇଁ ଏକ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତୁ । ଗ୍ରୁପରେ ପାଠପଢ଼ିଲେ ଅଧିକ ନିଦ ଆସିନଥାଏ ।
– ନିଜକୁ ସବୁବେଳେ ହାଇଡ୍ରେଟ୍ ରଖନ୍ତୁ ।
– ବ୍ୟାୟାମ, ଧ୍ୟାନ, ଯୋଗ, ସଂଗୀତ ଶୁଣିବା ଭଳି ସୁଅଭ୍ୟାସ ଆପଣାନ୍ତୁ । ଏହା ମସ୍ତିଷ୍କ ଶାନ୍ତ ରଖିବା ସହ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।