fbpx

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିଶନର? ଜାଣନ୍ତୁ, ଏହା ପଛର କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ପୂର୍ବରୁ ଅର୍ଥାତ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ହଠାତ କାହିଁକି ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଲେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଉ ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଏକ ସାଂଘାତିକ ସତ। ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା କାରଣରୁ ଅରୁଣ ଇସ୍ତଫା ଦେଇଥିବା କୁହାଯାଉଛି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ନିକଟରେ ସରକାର ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ନାମ ଉପରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ କୌଣସି ସାମ୍ବାଦିକ ସମ୍ମିଳନୀରେ ଅରୁଣ ଗୋଏଲ ଯୋଗ ଦେଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି ବୋଲି ଆୟୋଗ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି।

ସୂଚନା ଥାଉକି, ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଗୋଏଲ ନଭେମ୍ବର ୧୯ରେ ଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚ୍‌ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା। ଆଉ ଶେଷରେ ଗତକାଲି ୨୦୨୪ ନିର୍ବାଚନ ପୂର୍ବରୁ ସେ ହଠାତ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି।

ଏଠାରେ କହି ରଖୁ ଯେ, ଭାରତର ନିର୍ବାଚନ ଆୟୋଗରେ ପୂର୍ବରୁ ଏକ ପଦବୀ ଖାଲି ଥିଲା ଏବଂ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଆଉ ଏକ ପଦବୀ ଖାଲି ହୋଇଛି। ବର୍ତ୍ତମାନ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଛାଡିବା ପରେ ବାକି ଦୁଇଟି ପଦବୀ ଖାଲି ପଡିଛି।

Get real time updates directly on you device, subscribe now.