fbpx

କମିନ୍ସ ଓ ଷ୍ଟାର୍କଙ୍କୁ ଏତେ କୋଟି ଦେଇ ଫ୍ରାଞ୍ଚାଇଜମାନେ କିଣିଲେ କାହିଁକି: ଏହା ପଛରେ ରହିଛି ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ର ନିଲାମୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଦୁଇ ପେସ ବୋଲର ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କୁ ଯଥାକ୍ରମେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକତା ନାଇଟ୍ ରାଇଡର୍ସ କିଣିଛନ୍ତି । ଫ୍ରାଞ୍ଚାଇଜମାନେ ସତର୍କତାର ସହିତ ରଣନୀତି ପ୍ରସ୍ତୁତ କରି ଏହି ଦୁଇ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଥିବା କୁହାଯାଉଛି ।

ତେବେ କମିନ୍ସ ଓ ଷ୍ଟାର୍କଙ୍କୁ କ’ଣ ପାଇଁ ଫ୍ରାଞ୍ଚାଇଜମାନେ ଏତେ ଅଧିକ ପ୍ରାଇସରେ କ୍ରୟ କଲେ ତାହାକୁ ନେଇ ଏବେ ଅନେକ ପ୍ରଶଂସକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପଛରେ ଅନେକ କାରଣ ରହିଛି । କମିନ୍ସ ୨୦.୫ କୋଟିରେ ଓ ଷ୍ଟାର୍କ ୨୪.୭୫ କୋଟିରେ ବିକ୍ରି ହୋଇଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଖେଳାଳି ୨୦ କୋଟି ପ୍ରାଇସ୍ ପାର୍ କରିଛନ୍ତି ।

୧- ନିକଟରେ ସମାପ୍ତ ହୋଇଥିବା ଦିନିକିଆ ବିଶ୍ୱକପରେ ଭାରତୀୟ ଜଳବାୟୁରେ ଏହି ଦୁଇ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ଥିଲା । ତେଣୁ ଭାରତରେ ଆଇପିଏଲ ହେଉଥିବାରୁ ଏହି ଦୁଇ ଖେଳାଳି ଫ୍ରାଞ୍ଚାଇଜଙ୍କୁ ଫାଇଦା ପହଞ୍ଚାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

୨- ବର୍ତ୍ତମାନ ସମୟରେ ଆଇପିଏଲରେ ଅଧିକାଂଶ ବୋଲର ନିର୍ଧୂମ ପ୍ରହାର ଖାଉଥିବା ବେଳେ ଷ୍ଟାର୍କଙ୍କ ବୋଲିଂ ଉପରେ ସମସ୍ତଙ୍କର ଭରସା ରହିଛି । ୨୦୧୫ରେ ଷ୍ଟାର୍କ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ । ମାତ୍ର କିଛି କାରଣରୁ ସେ ଉକ୍ତ ଟି-୨୦ ଲିଗରେ ଖେଳି ପାରିନଥିଲେ । ନିକଟରେ ଷ୍ଟାର୍କ ନିଲାମୀରେ ଭାଗ ନେବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ କୋଲକତା କିଣିନେଇଥିଲା ।

୩- ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କୁ ଆଉଟ କରି ସାରା ଷ୍ଟାଡିୟମର ୧ ଲକ୍ଷ ଦର୍ଶକଙ୍କୁ ଚୁପ୍ କରାଇ ଦେଇଥିଲେ କମିନ୍ସ । ତେଣୁ କମିନ୍ସଙ୍କୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା । ଜଣେ ଖେଳାଳି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ, ଟ୍ରେଣ୍ଡରେ ରହିଥିବା ଖେଳାଳିଙ୍କ ଉପରେ ସବୁ ସମୟରେ ଫ୍ରାଞ୍ଚାଇଜମାନେ ଟଙ୍କା ବର୍ଷା କରିଥାନ୍ତି ।

୪- ଗତ ୨୦୨୨ ଆଇପିଏଲରେ କମିନ୍ସ ୫ଟି ମ୍ୟାଚରେ ୧୦.୬୮ ଇକୋନେମି ରେଟରେ ୭ଟି ୱିକେଟ ନେଇଥିଲେ । ତା’ପରେ ସେ ଆଘାତପ୍ରାପ୍ତ ହୋଇ ଦଳରୁ ବାଦ୍ ପଡ଼ିଥିଲେ । ୨୦୨୩ ଆଇପିଲରେ ସେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଅଷ୍ଟ୍ରେଲିଆକୁ ବିଶ୍ୱବିଜୟୀ କରାଇଥିବା କମିନ୍ସଙ୍କୁ ହାଇଦ୍ରାବାଦ ନେତୃତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

୫- ପୂର୍ବରୁ କୋଲକତା ଟିମ୍ ସାଉଦୀ, ଉମେଶ ଯାଦବ, ଲକି ଫର୍ଗୁଶନ ଓ ଶାର୍ଦୁଲ ଠାକୁରଙ୍କ ପରି ପେସ ବୋଲରଙ୍କୁ ରିଲିଜ୍ କରିଦେଇଥିଲା । ତେଣୁ ଟିମ୍ ଜଣେ ମୁଖ୍ୟ ପେସରଙ୍କ ସନ୍ଧାନରେ ରହିଥିଲା । ୧୪୦ କିମି ବେଗରେ ବୋଲିଂ କରୁଥିବା ୩୩ ବର୍ଷୀୟ ଷ୍ଟାର୍କଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ଇକୋନୋମୀ ରେଟ ୭.୬୩ ରହିଥିବା ବେଳେ ତାହା ଅତ୍ୟନ୍ତ ସମ୍ମାନଜନକ । ତେଣୁ ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ ପ୍ରାଣପଣେ ଉଦ୍ୟମ କରିଥିଲା ।

Get real time updates directly on you device, subscribe now.