fbpx

(Video) ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ ନେତା.. ଜାଣନ୍ତୁ ବଡ଼ କାରଣ

ଭୁବନେଶ୍ବର: କାହିଁକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଧର୍ମେନ୍ଦ୍ର? କାହିଁକି ବିଜେପିର ଓଡିଶା ବିଜୟରେ ଧର୍ମେନ୍ଦ୍ରଙ୍କୁ ମିଳୁଛି ଶ୍ରେୟ? ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ? ଚଳିତ ସାଧାରଣ ନିର୍ବାଚନରେ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ବିଧାନସଭାରେ ୭୮ଟି ଆସନ ହାତେଇବା ସହିତ ପୂର୍ଣ୍ଣ ବହୁମତ ସହ ରାଜ୍ୟରେ ଏକକ ସରକାର ଗଠନ କରିବାକୁ ଯାଉଛି ପଦ୍ମ ଦଳ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ମଧ୍ୟ ଓଡିଶା ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି । ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁସାରେ ବିଜେପି ନିଶ୍ଚୟ ଏମିତି ଜଣେ ନେତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିବ ଯିଏ କି ଜାତୀୟ ରାଜନୀତି କ୍ଷେତ୍ରରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିତି ଏବଂ ଛବି ସହ ମେଳ ଖାଉଥିବ ।

ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିବା ନେତାମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଯିଏ କି ଓଡିଶାରେ ବିଜେପିର ଅଦ୍ଭୂତପୂର୍ବ ନିର୍ବାଚନୀ ସଫଳତାର ପ୍ରଚ୍ଛଦ ନାୟକ ବୋଲି କୁହାଯାଉଛି । ବିଜେପିର ଓଡିଶା ବିଜୟରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ଦଳର ଚାଣକ୍ୟ ଅମିତ ଶାହ ମଧ୍ୟ ଏକ ନିର୍ବାଚନୀ ସଭାରେ ସ୍ୱୀକାର କରିଛନ୍ତି । ଓଡିଶା ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ହିଁ ରାଜ୍ୟରେ ବିଜୟ ପାଇଁ ରାସ୍ତା ଖୋଲିଥିଲା । ଶାହ ମଧ୍ୟ ତାଙ୍କ ଭାଷଣରେ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିଥିବା ଟିମ୍‌ର ନେତୃତ୍ୱ ନେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ସେ ଧର୍ମେନ୍ଦ୍ର ପ୍ରଧାନ ହିଁ ଥିଲେ, ଯିଏ କି ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ନଗଦ ୫୦ ହଜାର ଟଙ୍କା ପାଇଁ ପ୍ରତିଶ୍ରୁତି ଦେବା ସହ ଏହି ନିର୍ବାଚନକୁ ଓଡିଆ ଅସ୍ମିତାର ଲଢେଇ ପରିଚୟ ଦେଇଥିଲେ । ଏବଂ ଓଡିଶାର ଭୋଟରଙ୍କୁ ବିଜେପି ଆଡକୁ ଆକୃଷ୍ଟ କରିଥିଲେ ।

ଖାଲି ସେତିକି ନୁହେଁ, ଆଇଏଏସରୁ ରାଜନେତା ବନିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବାହାର ରାଜ୍ୟର ଲୋକ ଭାବେ ଉପସ୍ଥାପିତ କରିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରିବା ମଧ୍ୟ ବିଜେପିକୁ ଭଲ ନିର୍ବାଚନୀ ଫଳାଫଳ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ଓଡିଶାରେ ବିଜେପିର ନିର୍ବାଚନୀ ପରିଚାଳନା ଓ ରଣନୀତି ପ୍ରସ୍ତୁତ ପଛରେ ମାଷ୍ଟର ମାଇଣ୍ଡ୍ ଧର୍ମେନ୍ଦ୍ର ହିଁ ଥିଲେ । ଏପରିକି ଭେଟେରାନ୍ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିଜ ନିର୍ବାଚନୀ ଭାଷଣରେ ଭବିଷ୍ୟତରେ ଧର୍ମେନ୍ଦ୍ରଙ୍କୁ ନେଇ ବଡ ଇଙ୍ଗିତ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଭୋଟ୍ ମାଗିବା ବେଳେ ରାଜନାଥ କହିଥିଲେ କି ଆପଣ କେବଳ ଜଣେ ସାଂସଦ ବାଛୁନାହାଁନ୍ତି ବରଂ ଏକ ବହୁତ ବଡ ପଦବୀ ପାଇଁ ଭୋଟ୍ ଦେଉଛନ୍ତି । ଧର୍ମେନ୍ଦ୍ରଙ୍କ ରାଜନୈତିକ ଉପଲବ୍ଧିକୁ ଯଦି ବିଚାରକୁ ନିଆଯାଏ ତେବେ ଜାତୀୟ ରାଜନୀତିରେ ତାଙ୍କର ସବୁବେଳେ ପ୍ରମୁଖ ଭୂମିକା ରହିଆସିଛି ।

ଏବଂ କେନ୍ଦ୍ର କ୍ୟାବିନେଟ୍‌ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିବାର ଅଭିଜ୍ଞତା ରହିଛି । ଏହା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ତୃଣମୂଳ ସ୍ତରର ରାଜନୈତିକ କ୍ୟାରିୟରକୁ ଯଦି ଦେଖାଯାଏ ତା’ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଜୀବନରୁ ହିଁ ରାଜନୀତିକୁ ପ୍ରବେଶ କରିଥିଲେ । ତେଣୁ ଭୋଟରଙ୍କ ମୁଡ୍ ଜାଣିବା ଏବଂ ରାଜନୈତିକ ସଙ୍ଗଠନ ସମ୍ଭାଳିବା ଭଳି ଦକ୍ଷତା ତାଙ୍କର ପୂର୍ବରୁ ହିଁ ରହିଆସିଛି । ତେଣୁ ଓଡିଶାରେ ପ୍ରଥମ କରି ଦଳ ଏକୁଟିଆ ସରକାର ଗଢିବାକୁ ଯାଉଥିବାରୁ ବିଜେପିର ଥିଙ୍କ୍ ଟ୍ୟାଙ୍କ୍ ବା ଶୀର୍ଷ ନେତୃତ୍ୱ କୌଣସି ରିସ୍କ ନନେଇ ରାଜ୍ୟରେ ବିଜେପିର ମୁହଁ ବା ପ୍ରମୁଖ ଚେହେରା ପାଲଟିଥିବା ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେବା ପାଇଁ ଚିନ୍ତା କରିପାରନ୍ତି । ଏହା ସହ ବିଜେପି ପ୍ରତି ଦୀର୍ଘ ବର୍ଷର ବିଶ୍ୱସ୍ତତା ହିଁ ଧର୍ମେନ୍ଦ୍ରଙ୍କୁ ଆହୁରି ଭରସାଯୋଗ୍ୟ କରିପାରିଛି । ଧର୍ମେନ୍ଦ୍ରଙ୍କର ଅନ୍ୟ ଏକ ପରିଚୟ ହେଉଛି କି ସେ ହେଉଛନ୍ତି ଦେବେନ୍ଦ୍ର ପ୍ରଧାନଙ୍କ ପୁଅ । ଯିଏ କି ବାଜପେୟୀ ସରକାରରେ ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦେବେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ବା ଆରଏସଏସର ଜଣେ କାର୍ଯ୍ୟକର୍ତ୍ତା ହେବା ସହ ଓଡିଶାରେ ବିଜେପିର ମୂଳଦୁଆ ପକାଇବା ପାଇଁ ମଧ୍ୟ ବେଶ୍ ପରିଚିତ ।

୧୯୮୮ରୁ ୧୯୯୩ ଏବଂ ପରେ ୧୯୯୭ରେ ମଧ୍ୟ ଓଡିଶା ବିଜେପିର ସଭାପତି ରହିଥିଲେ ଦେବେନ୍ଦ୍ର ପ୍ରଧାନ । ସେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ମଧ୍ୟ ଦୀର୍ଘ ଦିନ ଧରି ରହିଥିଲେ । ଓଡିଶାରେ ବିଜେପିର ମୂଳଦୁଆ ପକାଇଥିବା ଏକ ପରିବାରରୁ ଆସିଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଦଳ ସହିତ ସମ୍ପର୍କ ବେଶ୍ ଗଭୀର ଏବଂ ସଙ୍ଗଠନ ସହିତ ସେ ମୂଳରୁ ହିଁ ଓତଃପ୍ରୋତଃ ଭାବେ ଜଡିତ । ଏହା ବାଦ୍ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଅର୍ଦ୍ଧାଧିକ ଜନସଂଖ୍ୟା ବିଶିଷ୍ଟ ଓବିସି ସମ୍ପ୍ରଦାୟରୁ ଆସୁଛନ୍ତି । ତେବେ ମିଳିଥିବା ସୂତ୍ର ଅନୁସାରେ ଦୁଇଦିନ ମଧ୍ୟରେ ବିଜେପିର ସଂସଦୀୟ ବୋର୍ଡ ଓଡିଶାର ମୁଖ୍ୟମନ୍ତ୍ରୀ ଚୟନ ଉପରେ ନିଷ୍ପତ୍ତି ନେଇପାରେ । ତେଣୁ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଉଛି ତେବେ ତାଙ୍କୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସମ୍ବଲପୁର ଲୋକସଭା ଆସନ ଛାଡିବାକୁ ପଡିବ ଏବଂ କୌଣସି ଏକ ବିଧାନସଭା ଆସନରୁ ନିର୍ବାଚିତ ହେବାକୁ ପଡିବ । ହେଲେ ଏକଥା ବି ଆକଳନ କରାଯାଉଛି କି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ଭଳି ବିଜେପିର ଶୀର୍ଷ ନେତୃତ୍ୱ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି । ଏବଂ ଅପ୍ରତ୍ୟାଶିତ ଭାବେ ଏମିତି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିପାରନ୍ତି ଯାହାଙ୍କ ନାଁ କେହି ବି ଭାବିନଥିବେ । ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଆହୁରି ଅନେକ ନାଁ ବି ସାମିଲ ରହିଛି । ଯାହା ମଧ୍ୟରେ ଦେଶର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ଅଛନ୍ତି । ଯିଏ କି ମୟୂରଭଞ୍ଜ ବେତନଟୀର ବାସିନ୍ଦା ।

୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡରର ଏହି ଅବସରପ୍ରାପ୍ତ ଆଇଏଏସ ଅଫିସର, ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ପ୍ରମୁଖ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ଗୀରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ମଧ୍ୟ ରହିସାରିଛନ୍ତି । ଏହା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆଉ ଯେଉଁ ହେଭିୱେଟ୍ ମାନଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନେ ହେଲେ ପୂର୍ବତନ ସାଂସଦ ତଥା ପ୍ରଥମ ଥର ପାଇଁ ବ୍ରଜରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଏବଂ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ଏହା ସହିତ ଓଡିଶାରେ ବିଜେପିର ବିଜୟରେ ପ୍ରମୁଖ ଭୂମିକା ନେଇଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଏହି ଚର୍ଚ୍ଚାରେ ସାମିଲ ରହିଛି । ତେବେ ଏସବୁ ଭିତରେ ବିଜେପି କାହାକୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଉଛି ତାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଏବଂ କୌତୁହଳ ବଢିବାରେ ଲାଗିଛି ।

Get real time updates directly on you device, subscribe now.