fbpx

ଦୁହିଁଙ୍କର ମନ ଥିଲା ଏକ, ସଂସଦରେ ପୋଷାକର ରଙ୍ଗ ବି ଥିଲା ଏକ: ତେବେ କ’ଣ ଥିଲା କାରଣ, ୧୬ ବର୍ଷର ବନ୍ଧୁତାକୁ କୁଠାରଘାତ କରି ବିଜେପିର ହାତ ଧରିଥିଲେ ସିନ୍ଧିଆ

Advertisement

ନୂଆଦିଲ୍ଲୀ: କୁହାଯାଏ- ରାଜନୀତିର ପାଣି କେତେବେଳେ କୁଆଡ଼େ ଯିବ ତାହା କହିହେବନି । ଆଜି ଯିଏ କ୍ଷମତାରେ ଅଛି, ଆସନ୍ତାକାଲି ହୁଏତ ସିଏ ହଟିପାରେ । ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ, ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ଏପରି ଅନେକ ଉଦାହରଣ ଭାରତୀୟ ରାଜନୀତିରେ ଦେଖିବାକୁ ମିଳୁଛି । ସମୟ ଏପରି ଥିଲା ଯେ, ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଂସଦକୁ ସମାନ ରଙ୍ଗର ପୋଷାକ ପରିଧାନ କରିଆସୁଥିଲେ । ସଂସଦରେ ରାହୁଲ ଆଖି ମାରିବାର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଖୁବ୍ କମ୍ ଲୋକ ଏକଥା ଜାଣିଥିବେ ଯେ, ସିନ୍ଧିଆଙ୍କ ଆଡ଼କୁ ରାହୁଲ ଏହି ଇସାରା ଦେଉଥିଲେ । ସଂସଦ ଭିତରେ ଓ ବାହାରେ ଦୁହେଁ ଦୁଇ ବନ୍ଧୁ ପରି ନୁହେଁ, ବରଂ ଦୁଇ ଭାଇ ପରି ଚଳିଆସୁଥିଲେ । ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହେବା ପରେ ୨୦୦୪ ମସିହାରୁ ଦୁହିଁଙ୍କ ଦୋସ୍ତି ଆରମ୍ଭ ହୋଇଥିଲା । ଦୁହିଁଙ୍କର ସମ୍ପର୍କ ଏତେ ନିବିଡ଼ ଥିଲା ଯେ, ସିନ୍ଧିଆଙ୍କୁ ଗାନ୍ଧୀ ପରିବାରର ଚତୁର୍ଥ ସଦସ୍ୟ ବୋଲି ଗଣାଯାଉଥିଲା । ମାତ୍ର ହଠାତ୍ କ’ଣ ହେଲା? ଦୀର୍ଘ ବର୍ଷର ସମ୍ପର୍କକୁ ବର୍ଜନ କରି ସିନ୍ଧିଆ ବିଜେପି ସହ ହାତ ମିଳାଇବାକୁ ପଛାଇଲେ ନାହିଁ ।

କୁହାଯାଉଛି, ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ପଦ ତ ଦୂରର କଥା ରାଜ୍ୟର ଅଧ୍ୟକ୍ଷ ପଦରେ ମଧ୍ୟ ତାଙ୍କୁ ବସାଯାଇ ନଥିଲା । ଏପରିକି ସିନ୍ଧିଆଙ୍କ କିଛି ଅନୁଗତ ବିଧାୟକଙ୍କୁ ଦଳରେ ଅଣଦେଖା କରାଯାଇଥିଲା । ସିନ୍ଧିଆଙ୍କ ପରିବର୍ତ୍ତେ ଦଳ ବରିଷ୍ଠ ନେତା କମଳ ନାଥ ଓ ଦିଗବିଜୟ ସିଂହଙ୍କୁ ଗୁରୁତ୍ୱ ଦେଇଥିଲା । ପରେ କମଲ ନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ । ସିନ୍ଧିଆଙ୍କ ପକ୍ଷେ ଏହି ସମସ୍ତ ଘଟଣା ଅସହ୍ୟ ହୋଇପଡ଼ିଥିଲା । ପରବର୍ତ୍ତୀ ସମୟରେ ସିନ୍ଧିଆ କଂଗ୍ରେସ ତ୍ୟାଗ କରି ବିଜେପିରେ ମିଶିବା ସହ ଏବେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ସମୟ ବଦଳି ଯାଇଛି ସତ, ମାତ୍ର ଦୁହିଁଙ୍କର ରାଜନୀତି ହେଉ ବା ବ୍ୟକ୍ତିଗତ ସମ୍ପର୍କକୁ ନେଇ ଆଜି ବି ଜନସାଧାରଣ ମନେ ପକାଉଛନ୍ତି ।

Get real time updates directly on you device, subscribe now.