fbpx

ବପ୍ପାଙ୍କ ପାଖରେ କାହିଁକି ଭୋଗ ଲାଗେ ମୋଦକ ? ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ କାରଣ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ପାର୍ବତୀ ନନ୍ଦନ । ଶ୍ରୀ ଗଣେଶଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବତା ଭାବେ ବିବେଚିତ କରାଯାଇଛି । ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ତାଙ୍କୁ ଆହ୍ୱାନ କରିବା ମଙ୍ଗଳମୟ ହୋଇଥାଏ । ସମସ୍ତ ବିଘ୍ନର ବିନାଶ କରୁଥିବାରୁ ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଏ । ଶ୍ରୀ ଗଣେଶଙ୍କ ପୂଜାରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥାଏ କିନ୍ତୁ ମୋଦକ ହେଉଛି ତାଙ୍କର ସବୁଠାରୁ ପ୍ରିୟ ମିଷ୍ଠାନ । ତେବେ ଏହା ପଛରେ ଅନେକ ପୌରାଣିକ ମାନ୍ୟତା ରହିଛି ।

Ganapati bappa - Shrutistaan - Digital Art & AI, Religion, Philosophy, & Astrology, Hinduism - ArtPal

ପୌରାଣିକ ମାନ୍ୟତା ଅନୁଯାୟୀ ଏକଦା ଭଗବାନ ଶିବ ବିଶ୍ରାମ କରିବାକୁ ଯାଇ ପୁତ୍ର ଗଣେଶଙ୍କୁ ଦ୍ୱାରରେ ପହରା ଦେବା ପାଇଁ କହିଥିଲେ । ଏହି ସମୟରେ ଭଗବାନ ପରଶୁରାମ ନିଜ ଆରାଧ୍ୟ ଶିବଙ୍କୁ ଭେଟିବା ପାଇଁ ଆସିଥିଲେ । ଶ୍ରୀ ଗଣେଶ ତାଙ୍କୁ ଦ୍ୱାରରେ ଅଟକାଇ ଦେଇଥିଲେ । ଗଣେଶଙ୍କ ଏଭଳି ବ୍ୟବହାରରେ କ୍ରୋଧିତ ହୋଇଥିଲେ ପରଶୁରାମ । ଏହା ପରେ ଶ୍ରୀ ଗଣେଶ ଏବଂ ପରଶୁରାମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରଶୁରାମ ଶିବଙ୍କ ଦ୍ୱାରା ଦିଆଯାଇଥିବା ପରଶୁରେ ଶ୍ରୀ ଗଣେଶଙ୍କ ଉପରେ ଆକ୍ରମଣ କରିଥିଲେ । ଶ୍ରୀ ଗଣେଶ ଏହାର ପ୍ରହାର ତାଙ୍କ ଦାନ୍ତ ଉପରେ ନେଇଥିଲେ । ଫଳରେ ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା । ପରିମାଣସ୍ୱରୂପ ପାର୍ବତୀ ନନ୍ଦନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଭୋଜନ ସେବନ କରିବାରେ ଅସୁବିଧା ହେଉଥିଲା । ତାଙ୍କୁ ଏଭଳି କଷ୍ଟରେ ଦେଖି ମାତା ପାର୍ବତୀ ତାଙ୍କ ପାଇଁ ଏକ ବିଶେଷ ପ୍ରକାର ମିଷ୍ଠାନ ପ୍ରସ୍ତୁତ କରିଥିଲେ ‘ମୋଦକ’ । ଏହା ନରମ ଏବଂ ଅତ୍ୟନ୍ତ ସ୍ୱାଦିଷ୍ଟ ହେବାରୁ ବପ୍ପାଙ୍କୁ ପ୍ରିୟ ହୋଇଗଲା ।

ଅନ୍ୟ ଏକ ପୌରାଣିକ ତଥ୍ୟ ଅନୁଯାୟୀ, ଋଷୀ ଅତ୍ରିଙ୍କ ପତ୍ନୀ ସତୀ ଅନୁସୂୟା ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପରସି ଦେଇଥିଲେ ସତୀ ଅନୁସୂୟା । କିନ୍ତୁ ଏତେ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପରେ ମଧ୍ୟ ଗଣେଶଙ୍କ ପେଟ ପୂରି ନଥିଲା । ଯେତେ ଖାଦ୍ୟ ପରସା ଯାଉଥିଲା ସମସ୍ତ ଖାଦ୍ୟ କେବଳ ଗଣେଷ ହିଁ ଖାଇଦେଉଥିଲେ । ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଯାଇଥିଲା । ସେହି ମୋଦକ ଖାଇ ସନ୍ତୁଷ୍ଟ ହୋଇଯାଇଥିଲେ ପାର୍ବତୀ ନନ୍ଦନ । ଏହା ଦେଖି ମାତା ପାର୍ବତୀ ସତୀ ଅନୁସୂୟାଙ୍କ ଠାରୁ ସେହି ମୋଦକ ତିଆରି କରିବା ବିଧି ଶିଖିଥିଲେ ।

‘ମୋଦ’ର ଅର୍ଥ ହେଉଛି ଖୁସି ବା ଉଲ୍ଲାସ । ଶ୍ରୀ ଗଣେଶ ସବୁବେଳେ ଖୁସିରେ ରହିବା ସହ ଭକ୍ତଙ୍କ ସମସ୍ତ ସଂକଟ ଦୂର କରି ଜୀବନରେ ଖୁସି ଆଣିଥାନ୍ତି । ତେଣୁ ବିଘ୍ନହର୍ତ୍ତାଙ୍କୁ ଖୁସି କରିବା ପାଇଁ ମୋଦକ ଭୋଗ ଲାଗି କରାଯାଇଥାଏ । କୁହାଯାଏ ‘ମୋଦକ’ ଅମୃତରେ ତିଆରି ହୋଇଥାଏ । ଦେବତାମାନେ ଗୋଟିଏ ଦିବ୍ୟ ମୋଦକ ମାତା ପାର୍ବତୀଙ୍କୁ ପ୍ରଦାନ କରିଥିଲା । ଏହା ପରେ ଶ୍ରୀ ଗଣେଶଙ୍କ ମନରେ ଏହାକୁ ସେବନ କରିବା ପାଇଁ ଇଚ୍ଛା ହେଲା । ପରେ ମାତା ପାର୍ବତୀ ତାଙ୍କୁ ମୋଦକ ଦେଲା ପରେ ଏହା ଶ୍ରୀ ଗଣେଶଙ୍କ ପ୍ରିୟ ହୋଇଗଲା । ବପ୍ପାଙ୍କୁ ୨୧ ମୋଦକ ଅର୍ପଣ କରିବାର ମାନ୍ୟତା ରହିଛି । ଏହା ଦ୍ୱାରା ସମସ୍ତ ଦେବା ଦେବୀଙ୍କ ପେଟ ଭରିବା ସହ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.