ମୋଦୀ ସରକାର ନୂଆ ଆଇନ୍ ଆଣିଲେ କାହିଁକି: ପୁରୁଣା ଆଇନରେ କ’ଣ ସମସ୍ୟା ଥିଲା, ଆଗକୁ ଦେଶବାସୀଙ୍କୁ କ’ଣ ଫାଇଦା ମିଳିବ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଭାରତୀୟ କାନୁନ ସହ ଜଡ଼ିତ ୩ଟି ନୂଆ ବିଲ୍ ଆଗତ କରିଥିଲେ । ଏହାଫଳରେ ୧୮୬୦ର ଭାରତୀୟ ଦଣ୍ଡ ସଂହିତା ବଦଳିଯାଇ ତା’ର ନାମ ଭାରତୀୟ ନ୍ୟାୟ ସଂହିତା ହୋଇଯିବ । ସେହିପରି କ୍ରିମିନାଳ ପ୍ରୋସିଜିଓର କୋଡ ୧୮୯୮ର ଆଇନ ବଦଳିଯାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ହୋଇଯିବ । ୧୮୭୨ର ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳିଯାଇ ଭାରତୀୟ ସାକ୍ଷ୍ୟ ଅଧିନିୟମ ନାମରେ ପରିଗଣିତ ହେବ ।

ବ୍ରିଟିଶ ସରକାରଙ୍କ ହିତ ସାଧନ ପାଇଁ ଏହି ସବୁ ପୁରୁଣା ଆଇନ ରହିଥିଲା । ମାତ୍ର ନୂଆ ଆଇନରେ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ନେଇ ବ୍ୟବସ୍ଥା ରହିବା ସହ ଭାରତୀୟଙ୍କୁ ସହଜରେ ନ୍ୟାୟ ମିଳିପାରିବ କେନ୍ଦ୍ର ସରକାର କହିଛନ୍ତି । ତେବେ ଆଇପିସି, ସିଆରପିସି ସଂଶୋଧନ ବିଲ ଆଣିବା ପଛରେ କେନ୍ଦ୍ର ସରକାରଙ୍କର କ’ଣ ଉଦ୍ଦେଶ୍ୟ ରହିଛି ତାହା ଆମେ ଜାଣିବା ନିହାତି ଦରକାର । ଆଇପିସି, ସିଆରପିସିକୁ ବଦଳାଯିବା ଫଳରେ ଏଣିକି ପୀଡ଼ିତଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯାଇ ପାରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ଆଇପିସି, ସିଆରପିସି ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଜଟିଳ ପ୍ରକ୍ରିୟା କାରଣରୁ ଦେଶରେ ନ୍ୟାୟ ପ୍ରକ୍ରିୟାରେ ଭାରି ବୋଝ ରହିଥିଲା । ଏହି ଭାର ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ରହିଥିଲା । ଏହି କାରଣରୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା । ଗରିବ ଓ ସାମାଜିକ ଆର୍ଥିକ କ୍ଷେତ୍ରରେ ପଛୁଆ ସମ୍ପ୍ରଦାୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ । ଦେଶରେ ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବହୁତ କମ୍ ହେଉଥିଲା । ଫଳରେ ଜେଲରେ ଅଧିକ ଗହଳି ହେଉଥିଲା ଓ ବନ୍ଦୀଙ୍କ ସଂଖ୍ୟା ଅଧିକ ରହୁଥିଲା ।

ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୩ଟି ଧାରା ରହିବ ଓ ଏହା ସିଆରପିସିର ୪୭୮ଟି ଧାରାର ସ୍ଥାନରେ ରହିବ । ୧୬୦ଟି ଧାରାକୁ ବଦଳା ଯାଇଛି, ୯ଟି ନୂଆ ଧାରା ଯୋଡ଼ା ଯାଇଛି ଓ ୯ଟି ପୁରୁଣା ଧାରାକୁ ନିରସ୍ତ୍ର କରିଦିଆଯାଇଛି । ଭାରତୀୟ ନ୍ୟାୟ ସଂହିତାରେ ଆଇପିସିର ୫୧୧ଟି ଧାରା ସ୍ଥାନରେ ଏବେ ମୋଟ ୩୫୬ଟି ଧାରା ରହିବ । ୧୭୫ଟି ଧାରାକୁ ବଦଳାଯାଇଛି, ୮ଟି ନୂଆ ଧାରା ଯୋଡ଼ା ଯାଇଛି ଓ ୨୨ଟି ଧାରାକୁ ନିରସ୍ତ୍ର କରିଦିଆଯାଇଛି । ଭାରତୀୟ ସାକ୍ଷ୍ୟ ଅଧିନିୟମରେ ପୁରୁଣା ଆଇନର ୧୬୭ଟି ଧାରା ବଦଳରେ ୧୭୦ଟି ଧାରା ରହିବ । ୨୩ଟି ଧାରାକୁ ବଦଳା ଯାଇଛି, ଗୋଟିଏ ଧାରା ଯୋଡ଼ା ଯାଇଛି ଓ ୫ଟି ଧାରାକୁ ହଟାଇ ଦିଆଯାଇଛି ।

ନୂଆ ଆଇନ ଅନୁସାରେ, ଅପରାଧୀ ଘୋଷିତଙ୍କ ଅନୁପସ୍ଥିତିରେ ଭାରତରେ ସେମାନଙ୍କର ମକଦ୍ଦମା ଚାଲିପାରିବ । ଉଦାହରଣ ସ୍ୱରୂପ, ଅଣ୍ଡରୱାର୍ଲ୍ଡ ଦାଉଦ ଇବ୍ରାହିମ ଉପରେ ବର୍ତ୍ତମାନ ସୁଦ୍ଧା ମକଦ୍ଦମା ଚାଲିପାରୁନଥିଲା, ମାତ୍ର ଏବେ ଭାରତରେ ମକଦ୍ଦମା ଚାଲିବ ଓ ରାୟ ଆସିବ । ପୁରୁଣା ଆଇନ ବ୍ୟବସ୍ଥା କାରଣରୁ ଦାଉଦ, ବିଜୟ ମାଲ୍ୟା, ନିରବ ମୋଦୀଙ୍କ ପରି ଅପରାଧୀ ଅନ୍ୟ ଦେଶରେ ଜୀବନ ବିତାଉଛନ୍ତି ଓ ସେମାନଙ୍କର ପ୍ରତ୍ୟର୍ପଣ କ୍ଷେତ୍ରରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଏଣିକି ସେମାନଙ୍କର ପ୍ରତ୍ୟର୍ପଣ ସହଜ ହୋଇଯିବ ।

ଏଫଆଇଆରରୁ କେସ ଡାଏରୀ, କେସ ଡାଏରୀରୁ ଚାର୍ଜ ଶିଟ, ରାୟ ସବୁ ଡିଜିଟାଇଜ କରାଯିବ । ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଯାଉଥିବା ସମନକୁ ବିଧିବଦ୍ଧ ବୋଲି ଗ୍ରହଣ କରାଯିବ । ପୋଲିସ ଦ୍ୱାରା ସର୍ଚ୍ଚ ଓ ଜବତର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରାଯିବ । ପୋଲିସ ଦ୍ୱାରା ସର୍ଚ୍ଚ କରିବାର ସମସ୍ତ ପ୍ରକ୍ରିୟା ବା କାହାର ସମ୍ପତ୍ତି ଜବତ କରିବାର ଭିଡିଓଗ୍ରାଫି କରାଯିବ । ଏପରି ରେକର୍ଡିଂକୁ ବିନା କୌଣସି ବିଳମବରେ ସମ୍ବନ୍ଧିତ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯିବ । ଫଳରେ ଏ କ୍ଷେତ୍ରରେ କୌଣସି ଛେଡ଼ଛାଡ଼ କରାଯାଇ ପାରିବ ନାହିଁ ।