fbpx

One Nation-One Election: ମୋଦୀ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ, ଏହି ବିଲ୍ କାହିଁକି ଜରୁରୀ?

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ଟି ବୈଠକ ଆୟୋଜିତ ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସ୍ୱତନ୍ତ୍ର ଅଧିବେଶନ ଅବସରରେ ନରେନ୍ଦ୍ର ମୋଦୀ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ ଆଗତ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କ’ଣ ପାଇଁ ଏହି ବିଲ୍ ଅଣାଯିବ, ଦେଶ ପାଇଁ ଏହି ବିଲର କ’ଣ ଆବଶ୍ୟକତା ରହିଛି । ‘ଏକ ଦେଶ- ଏକ ନିର୍ବାଚନ’କୁ ନେଇ ଦେଶରେ ଦୀର୍ଘଦିନ ହେଲା ବିବାଦ ଜାରି ରହିଛି । କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ସପକ୍ଷରେ ରହିଥିବା ବେଳେ ବିରୋଧୀମାନେ ବିରୋଧ କରୁଛନ୍ତି । ଦେଶରେ ଯେତେଥର ଭୋଟ ହେଉଛି ସେତେଥର ଭୋଟର ଲିଷ୍ଟ ଆସୁଛି ବୋଲି ମୋଦୀ କହିଥିଲେ । ସମସ୍ତ ରାଜନୈତିକ ଦଳ, ନିର୍ବାଚନ ଆୟୋଗ ଓ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ସଂଗଠନ ଏନେଇ ମତାମତ ଦେବାକୁ ୨୨ତମ ଆଇନ ଆୟୋଗଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା ।

ସ୍ୱାଧିନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା । ଏହାପରେ ୧୯୬୮ ଓ ୧୯୬୯ରେ କିଛି ବିଧାନସଭାକୁ ସମୟ ପୂର୍ବରୁ ଭଙ୍ଗ କରି ଦିଆଯାଇଥିଲା । ତା’ପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ କରି ଦିଆଯିବା ସହ ନିର୍ବାଚନ ପରମ୍ପରା ଭାଙ୍ଗି ଯାଇଥିଲା । ୨୦୧୮ ମସିହା ଅଗଷ୍ଟରେ ‘ଏକ ଦେଶ- ଏକ ନିର୍ବାଚନ’ ଆଇନ କମିଶନ ରିପୋର୍ଟ ଆସିଥିଲା । ଦେଶରେ ଗୋଟିଏ ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରେ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟର ବିଧାନସଭା ନିର୍ବାଚନ ହେବା ନେଇ କୁହାଯାଇଥିଲା । ମାତ୍ର ଏଥିପାଇଁ କିଛି ବିଧାନସଭାର କାର୍ଯ୍ୟକାଳ ବଢ଼ାଇବାକୁ ପଡ଼ିବ, ଆଉ କିଛି ସମୟ ପୂର୍ବରୁ ଭଙ୍ଗ କରିବାକୁ ପଡ଼ିବ । ମାତ୍ର ସମ୍ବିଧାନ ସଂଶୋଧନ ନହେଲେ ଏହାସବୁ ସମ୍ଭବ ହେବନାହିଁ ।

Get real time updates directly on you device, subscribe now.