fbpx

କରୋନାରେ କାହିଁକି ବାରମ୍ବାର ହେଉଛନ୍ତି ସଂକ୍ରମିତ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାର ଅନେକ ଭାରିଆଣ୍ଟ ଏବଂ ସବ୍ ଭାରିଆଣ୍ଟ ମଧ୍ୟ ଆସିଛି । ଏବେବି ଅନେକ ଦେଶରେ ସଂକ୍ରମଣ ବ୍ୟାପିବାର ଦେଖାଯାଉଛି । ବିଦେଶରେ ହିଁ ନୁହେଁ ବରଂ ଭାରତରେ ମଧ୍ୟ ଏଭଳି ରୋଗୀ ଦେଖାଯାଇଛନ୍ତି ଯେଉଁମାନେ କରୋନା ଭାଇରସ ସଂକ୍ରମଣରେ ଥରେ ନୁହେଁ ବାରମ୍ବାର ସଂକ୍ରମିତ ହେଉଛନ୍ତି । ଏବେବି ଭାରତରେ କୋରୋନା ସଂକ୍ରମିତଙ୍କ ସକ୍ରିୟ ସଂଖ୍ୟା ଏକ ଲକ୍ଷ ଉପରେ ରହିଛି । ଏମିତିରେ ପ୍ରଶ୍ନ ଉଠୁଛି ଯେ ଲୋକେ ବାରମ୍ବାର କରୋନାରେ କାହିଁକି ସଂକ୍ରମିତ ହେଉଛନ୍ତି? କ’ଣ ଏହା ପଛରେ ରୋଗପ୍ରତିରୋଧକ ଶକ୍ତି ଏକ କାରଣ ରହିଛି?

ଏନେଇ ଆଇସିଏମଆରର ଜୋଧପୁର ସ୍ଥିତ ଏନଆଇଆଇଆରଏନସିଡି ର ନିର୍ଦ୍ଦେଶକ ଏବଂ କମ୍ୟୁନିଟି ମେଡିସିନ୍ ବିଶେଷଜ୍ଞ ଡା.ଅରୁଣ ଶର୍ମା କହିଛନ୍ତି ଯେ ଦେଖାଯାଉଛି ଯେ କରୋନାରେ ଥରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଥର ମଧ୍ୟ ଆକ୍ରାନ୍ତ ହେଉଛନ୍ତି । କରୋନାର ସମାନ ଭାରିଆଣ୍ଟ ହେଉ କିମ୍ବା ଅନ୍ୟ ଭାରିଏଣ୍ଟ ଦ୍ୱାରା ମଧ୍ୟ ପୁନଃ ଆକ୍ରାନ୍ତ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କରୋନାରେ ଥରେ ଆକ୍ରାନ୍ତ ହେଲେ ଶରୀରରେ କରୋନା ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଆସିଥାଏ ଏବଂ କରୋନା ପାଇଁ ଭାକ୍ସିନ ମଧ୍ୟ ଆସିସାରିଛି, ଏହା ପରେ ବି କରୋନା ବାରମ୍ବାର କାହିଁକି ହେଉଛି?

ଶର୍ମା କହିଛନ୍ତି ଯେ କରୋନା ଭାଇରସ କୌଣସି ବ୍ୟକ୍ତିଙ୍କ ଠାରେ ପ୍ରଥମେ ନାକ କିମ୍ବା ମୁହଁରେ ପ୍ରବେଶ କରିଥାଏ । ଏମିତିରେ ସର୍ବପ୍ରଥମେ ଭାଇରସ ବ୍ୟକ୍ତିର ମୁହଁ, ନାକ କିମ୍ବା ଗଳାରେ ପହଞ୍ଚିଥାଏ ଏବଂ କରୋନା ଲକ୍ଷଣ ପ୍ରକାଶ ପାଇଥାଏ । ଏହାପରେ ଏହ ଗଳାରୁ ଶ୍ୱାସ ନଳୀ, ଫସଫୁସ୍ ଏବଂ ପରେ ରକ୍ତରେ ପହଞ୍ଚିଥାଏ । ଆଉ ରକ୍ତରେ ପହଞ୍ଚିବା ପୂର୍ବରୁ ଯଦି ବ୍ୟକ୍ତିଙ୍କ ଯାଞ୍ଚ ହେଉଛି ତେବେ ସେ କୋଭିଡ୍ ପଜିଟିଭ ହେଉଛନ୍ତି, କିନ୍ତୁ ଏଠାରେ ସବୁଠୁ ବଡ଼ କଥା ହେଉଛି ରକ୍ତରେ ପହଞ୍ଚିବା ପରେ ହିଁ ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କାମ କରିଥାଏ ।

ଏହାର କାରଣ ହେଉଛି କରୋନା ଭାଇରସ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ରକ୍ତରେ ତିଆରି ହୋଇଥାଏ, ନାକ, ମୁହଁ କିମ୍ବା ଗଳାରେ ନୁହେଁ । ତେଣୁ ଯେତେବେଳେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥାନ୍ତି ଏବଂ ଏହି ଭାଇରସ ପ୍ରଭାବିତ କରି ବ୍ୟକ୍ତିଙ୍କ ରକ୍ତରେ ପହଞ୍ଚିଥାଏ ସେତେବେଳ ଯାଇ ଶରୀରରେ ଆଣ୍ଟିବଡି ଆକ୍ଟିଭ ହୋଇଥାଏ, ଭାଇରସ ସହ ଲଢ଼ିଥାଏ ଏବଂ ରୋଗୀଙ୍କୁ ରକ୍ଷା କରେ ।

ଏଥିପାଇଁ କୋଭିଡ ଟିକାକରଣ ଏବଂ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଗଠନ ହେବାପରେ ମଧ୍ୟ ବ୍ୟକ୍ତି କରୋନା ଦ୍ୱାରା ବାରମ୍ବାର ସଂକ୍ରମିତ ହୋଇଥାଏ । ସଂକ୍ରମଣ ପଛରେ ଇମ୍ୟୁନିଟିର କୌଣସି କାରଣ ନାହିଁ । ଇମ୍ୟୁନିଟି କମିବା କିମ୍ବା ବଢ଼ିବା ଦ୍ୱାରା ସଂକ୍ରମଣ ଉପରେ କୌଣସି ପ୍ରଭାବ ପଡ଼ିନଥାଏ । ଇମ୍ୟୁନିଟି ଥଲେ ମଧ୍ୟ ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ଇମ୍ୟୁନିଟି କେବଳ ରୋଗର ଗମ୍ଭୀରତାକୁ କମ୍ କରିଥାଏ ଏବଂ ରୋଗୀଙ୍କ ଜୀବନ ବଞ୍ଚାଇଥାଏ, ଏହା ସଂକ୍ରମଣ ହେବାରୁ ରୋକିପାରିବ ନାହିଁ ।

ଶ୍ରୀ ଅରୁଣ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା କିମ୍ବା ବାରମ୍ବାର ସଂକ୍ରମିତ ହେବାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ସେ କହିଛନ୍ତି ଯେ କରୋନା ସଂକ୍ରମଣ ନାକ କିମ୍ବା ମୁହଁ ଦ୍ୱାରା ହୋଇଥାଏ, ଏମିତିରେ ମାସ୍କ ପିନ୍ଧିବା ଜରୁରୀ ଅଟେ । ଏହା ସହ ସାମାଜିକ ଦୂରତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ । ଏଭଳି କରିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ।

Get real time updates directly on you device, subscribe now.