ଯୁବପୀଢ଼ିଙ୍କ ମଧ୍ୟରେ ବଢ଼ୁଛି ପ୍ରୋଷ୍ଟେଟ କ୍ୟାନସର ମାମଲା: ଏହି ରୋଗ ହେବା ପଛର କାରଣ କ’ଣ, କେମିତି ସୁରକ୍ଷିତ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଖାଦ୍ୟପେୟ ଓ ଜୀବନଧାରଣର ଶୈଳୀ ପରିବର୍ତ୍ତନ କାରଣରୁ ଯୁବପୀଢ଼ିଙ୍କ ମଧ୍ୟରେ ଅନେକ ରୋଗ ଦେଖିବାକୁ ମିଳୁଛି । ବିଶେଷ କରି ଆଜିର ସମୟରେ ଯୁବପୀଢ଼ିଙ୍କ ପାଇଁ ପ୍ରୋଷ୍ଟେଟ କ୍ୟାନସର ଏକ ବଡ଼ ସମସ୍ୟା । ପ୍ରୋଷ୍ଟେଟ ଗ୍ଲାଣ୍ଡରେ ଯେତେବେଳେ ସେଲ୍ସ ଅନ୍ତିୟନ୍ତ୍ରିତ ଭାବେ ବୃଦ୍ଧି ହୋଇଥାଏ, ସେହି ସମୟରେ ଏହି ରୋଗ ଜନ୍ମ ନେଇଥାଏ । ଏହା ଧୀରେଧୀରେ ବଢ଼ିଥାଏ ଓ ଯଦି ଏହା ଶରୀରର ଅନ୍ୟ ଅଙ୍ଗକୁ ନବ୍ୟାପେ ତେବେ ତାହା ସେତେଟା ଗମ୍ଭୀର ହୋଇନଥାଏ । ତେବେ ଅନେକ ସମୟରେ ପ୍ରୋଷ୍ଟେଟ କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ ଓ ତାହା ସେହି ସମୟରେ ଭୟଙ୍କର ହୋଇପାରେ ।

ପୂର୍ବରୁ ଏହା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଏବେ ତାହା ୩୦-୪୦ ବର୍ଷୀୟଙ୍କୁ ଆକ୍ରମଣ କରୁଛି । ପ୍ରୋଷ୍ଟେଟ କ୍ୟାନସରର କାରଣର ଶରୀରେ ଜେନେଟିକ ମ୍ୟୁଟେସନ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯେତେବେଳେ ଶରୀରରେ ଡିଏନଏରେ ପରିବର୍ତ୍ତନ ହୋଇଥାଏ, ସେହି ସମୟରେ କ୍ୟାନସରର ଆଶଙ୍କା ବଢ଼ିଯାଇଥାଏ । ଯଦି ପରିବାରର କୌଣସି ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଆଗାମୀ ପୀଢ଼ି ଆନୁବଂଶିକ ଭାବେ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ଏଥିସହିତ ଓଜନ ବୃଦ୍ଧି, ଚାପ, ରକ୍ତଚାପ ବୃଦ୍ଧି ଓ ଲାଇଫଷ୍ଟାଇଲରେ ପରିବର୍ତ୍ତନ ମଧ୍ୟ ଏହାର କାରଣ ହୋଇପାରେ । ପ୍ରୋଷ୍ଟେଟ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଗମ୍ଭୀର ହୋଇନଥିବାରୁ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ପରିସ୍ରାରେ ଫ୍ଲୋ ନ ଆସିବା, ପରିସ୍ରାରେ ରକ୍ତ ପଡ଼ିବା, ପରିସ୍ରା ସମୟରେ ଯନ୍ତ୍ରଣା ଲାଗିବା, ରାତିରେ ଅଧିକ ପରିସ୍ରା ଲାଗିବା, ପରିସାକୁ ନିୟନ୍ତ୍ରଣ କରି ନପାରିବା, ଦୁର୍ବଳ ୟୁରିନ ସିଷ୍ଟମ, ବ୍ୟାକ ହିପ୍ସ ଓ ପେଲଭିସରେ ଯନ୍ତ୍ରଣା ହେବା ଏହାର ଗୋଟିଏ ଗୋଟିଏ ଲକ୍ଷଣ ।

ତେବେ ବିଭିନ୍ନ ଉପାୟ ଆପଣାଇ ଆପଣମାନେ ପ୍ରୋଷ୍ଟେଟ କ୍ୟାନସର ରୋଗକୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣମାନେ ସର୍ବପ୍ରଥମେ ସନ୍ତୁଳିତ ଭୋଜନ କରିବା ସହିତ ସଠିକ୍ ସମୟରେ ଯଥେଷ୍ଟ ମାତ୍ରାରେ ନିଦ୍ରା ଯାଆନ୍ତୁ । ପ୍ରତ୍ୟେକ ଦିନ ଯୋଗାସନ ଓ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ । ନିଜର ଦୈନନ୍ଦିନ ଲାଇଫଷ୍ଟାଇଲରେ ପରିବର୍ତ୍ତନ କରନ୍ତୁ । ନିଜର ଓଜନକୁ ସନ୍ତୁଳିତ ରଖନ୍ତୁ ଓ ବ୍ଲଡପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ଅତ୍ୟଧିକ ମଦ୍ୟପାନ ଓ ଧୂମ୍ରପାନକୁ ଆଭଏଡ୍ କରିବା ସହ ସମୟ ସମୟରେ ୟୁରୋଲୋଜିଷ୍ଟଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ । ଡାକ୍ତରୀ ଚିକିତ୍ସା ଜରିଆରେ ମଧ୍ୟ ଏହି ରୋଗକୁ ଦୂରେଇ ଦେଇହେବ । ଟେଷ୍ଟିକଲ୍ସକୁ ସର୍ଜରୀ ମାଧ୍ୟମରେ ବାହାର କରାଯାଇ ଟେଷ୍ଟୋଷ୍ଟିରନ ସ୍ତରକୁ କମାଯାଇ ପାରିବ । ହରମୋନ ଥେରାପି ଜରିଆରେ ଶରୀରରେ ଟେଷ୍ଟୋଷ୍ଟିରନ ସୃଷ୍ଟିକୁ ବନ୍ଦ କରାଯାଇ ପାରିବ କିମ୍ବା ତାହା କ୍ୟାନସର ସେଲ୍ସକୁ ପହଞ୍ଚିବାକୁ ରୋକାଯାଇ ପାରିବ ।