ପାଟନା- ବିହାରରେ ଆଜିକାଲି କୌଣସି ଶିକ୍ଷକଙ୍କୁ ହ୍ୱାଟ୍ସଅପ କଲ ଆସିଲେ ଖେଳିଯାଉଛି ଭୟର ବାତାବରଣ । ମୁଣ୍ଡ ବୁଲେଇ ଦେହ, ହାତ ଥଣ୍ଡା ହୋଇଯାଉଛି । ତେବେ ଠକଙ୍କ ଠକାମି ପାଇଁ ନୁହେଁ, ଏହା ବିଭାଗୀୟ ଅଧିକାରୀଙ୍କ ପାଇଁ । ବିହାର ଶିକ୍ଷା ବିଭାଗର ମୁଖ୍ୟ ସଚିବ ଡା ଏସ ସିଦ୍ଧାର୍ଥ ସ୍କୁଲ ନିରିକ୍ଷଣ ପାଇଁ ନୂଆ ବାଟ ବାହାର କରିଛନ୍ତି ।
ରାଜ୍ୟର ଶିକ୍ଷା ମୁଖ୍ୟ ସଚିବ ହ୍ୱାସ୍ ଅପ କଲ ଜରିଆରେ କରୁଛନ୍ତି ସ୍କୁଲର ନିରିକ୍ଷଣ । ସେ ସ୍କୁଲର ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ସାହୟକ ଶିକ୍ଷକ, ଟୋଲା ସେବ ଯାଏଁ ସମସ୍ତଙ୍କୁ କଲ କରୁଛନ୍ତି । ଭିଡିଓ କଲ କରି ବିଦ୍ୟାଳୟର ସ୍ଥିତି, ପିଲାଙ୍କ ପାଠପଢା, ସବୁର ଯାଞ୍ଚ କରୁଛନ୍ତି । ଭିଡିଓ କଲରେ କୌଣସିଥିରେ ଭୁଲ, ତ୍ରୁଟି ଦେଖିଲେ, ସମ୍ପୃକ୍ତ ଶିକ୍ଷକଙ୍କୁ ହ୍ୱାଟ୍ସଅପ ଜରିଆରେ ପଠାଇଦେଉଛନ୍ତି କାର୍ଯ୍ୟାନୁଷ୍ଠାନର ଚିଠି ।
ମନୋରଞ୍ଜନର ଏହି ମାଧ୍ୟମକୁ ଶିକ୍ଷା ସଚିବ ସ୍କୁଲ ନିରିକ୍ଷଣର ଏକ ସାଧନ କରିଦେଇଛନ୍ତି । ସଚିବଙ୍କ ଏହି କାର୍ଯ୍ୟଶୈଳୀକୁ ନେଇ ସବୁଠି ଚର୍ଚ୍ଚା । ଅଧିକାରୀଙ୍କ ହ୍ୱାଟ୍ସଅପ କଲରେ ରାଜ୍ୟର ସମସ୍ତ ଶିକ୍ଷକ ଭୟରେ । ସ୍କୁଲ ସମୟରେ, ସ୍କୁଲ ଛାଡି ଯିବା ଆଗରୁ ହଜାର ଥର ଭାବୁଛନ୍ତି, କାଳେ କାହିଁ ସେମାନଙ୍କୁ ଅଧିକାରୀଙ୍କ କଲ ଆସିଯିବନି ତ । ସ୍ଥିତି ଏମିତି ହୋଇଯାଇଛି କି, କୌଣସି ଅଜଣା ନମ୍ବରରୁ କଲ ଆସିଲେ ଥରିଯାଉଛନ୍ତି ବିହାରର ଶିକ୍ଷକ । ସଙ୍ଗେ ସଙ୍ଗେ ନିଜ ନିଜ ଶ୍ରେଣୀଗୃହକୁ ପସିଯାଉଛନ୍ତି ।
ସେପଟେ ମୁଖ୍ୟ ସଚିବ ଭିଡିଓ କଲ କରି ବିଦ୍ୟାଳୟର ନିରିକ୍ଷଣ କରିବା ସହ ଶିକ୍ଷକଙ୍କ ଉପରେ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ । ପାଠପଢାରେ ସାମାନ୍ୟ ବ୍ୟତିକ୍ରମ ଦେଖିବା କ୍ଷଣି ସେହି ଶିକ୍ଷକଙ୍କ ନିକଟରେ ହ୍ୱାଟ୍ସଅପରେ ପହଞ୍ଚିଯାଉଛି ଜବାବ ତଦବ ବା ଟର୍ମିନେସନ ଅର୍ଡର । ଏହି ପଦକ୍ଷେପ ପରେ ସ୍କୁଲକୁ ଶିକ୍ଷକମାନେ ନିୟମିତ ଆସିବା ସହ ସେମାନଙ୍କ ଉପସ୍ଥାପନ ହାର ମଧ୍ୟ ବଢିଛି । ଏହିକୁ ଲୋକେ ବେଶ ପ୍ରଶଂସା କରୁଛନ୍ତି । ଶିକ୍ଷା ବ୍ୟବସ୍ଥାରେ ମୁଖ୍ୟ ସଚିବଙ୍କ ଏପରି ନିଆରା ପଦକ୍ଷେପ ସୁଧାର ଆଣିବ ବୋଲି ଆଶାକରାଯାଉଛି ।