ଖାଦ୍ୟ ଖାଇବା ପରେ ନିଦ କାହିଁକି ଆସେ, ଆମକୁ ଅଳସୁଆ କାହିଁକି ଲାଗେ: ଏହା ପଛରେ ରହିଛି ବୈଜ୍ଞାନିକ ରହସ୍ୟ

ନୂଆଦିଲ୍ଲୀ: ସାଧାରଣ ଭାବେ ଖାଇବା ପରେ ଅଧିକାଂଶ ସମୟରେ ଆମ ସମସ୍ତଙ୍କୁ ଅଳସୁଆ ଥକ୍କା ଲାଗିବା ସହିତ ନିଦ ଆସିଥାଏ । ଅନେକ ସମୟରେ ବିବାହ, ପର୍ବପର୍ବାଣି, ପାର୍ଟିରେ ଭୋଜିଭାତ ଖାଇବା ପରେ ପରେ କିଛି ଲୋକ ୧ ମିନିଟ୍ ସମୟରେ ବସିବା ସ୍ଥାନରେ ହିଁ ଶୋଇଯାଇଥାନ୍ତି । ତେବେ ଏହି ନିଦ ଆସିବା ପଛରେ ଏକ ସାଇନ୍ସ କାମ କରୁଛି । ଏହାକୁ ଫୁଡ କୋମା କୁହାଯାଇଥାଏ ।

ଫୁଡ କୋମାକୁ ବିଜ୍ଞାନ ଭାଷାରେ ‘ପୋଷ୍ଟପ୍ରାଣ୍ଡିଆନ ସୋମ୍ନୋଲେନ୍ସ’ କୁହାଯାଇଥାଏ । ଏହାର ଅର୍ଥ ହେଉଛି ଖାଇବା ପରେ ନିଦ ଆସିବା । ତେବେ ଖାଇବା ପରେ ନିଦ କାହିଁକି ଆସେ ସେନେଇ ୨୦୦୦ ଦଶକଠାରୁ ଗବେଷଣା ଆରମ୍ଭ କରାଯାଇଥିଲା । ଖାଇବା ପରେ ନିଦ ଆସିବା ସହ ଥକ୍କାପଣ ଅନୁଭବ କରିବାକୁ ଆମେ ଫୁଡ୍ କୋମା କହିଥାଉ । ଦ୍ୱିପ୍ରହର ସମୟରେ ଖାଇବା ପରେ ଅଧିକାଂଶ ଲୋକଙ୍କଠାରେ ଏହି ଫୁଡ କୋମା ସମସ୍ୟା ଦେଖିବାକୁ ମିଳିଥାଏ ।

ତେବେ ଫୁଡ କୋମାର ଅଲଗା ଅଲଗା ଲକ୍ଷଣ ଆପଣମାନେ ମଧ୍ୟ ଅନୁଭବ କରିଥିବେ । ନିଦ ଆସିବା, ଶାରୀରିକ ଥକ୍କାପଣ, ଉର୍ଜା ସ୍ତର ହ୍ରାସ, ଫୋକସ୍ ହରାଇବା ଆଦି ଗୋଟିଏ ଗୋଟିଏ ଲକ୍ଷଣ । ରିସର୍ଚ୍ଚ ଅନୁଯାୟୀ, ଦ୍ୱିପ୍ରହର ଭୋଜନ ପରେ ଆମର ବ୍ରେନରେ ରକ୍ତର ପ୍ରବାହ କମ୍ ହୋଇଯାଇଥାଏ । ସାଧାରଣତଃ ଯେଉଁମାନେ ସକାଳେ ଜଳଖିଆ କରିନଥାନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଏଥିସହିତ ଅଧିକ ଖାଉଥିବା ଓ ପିଜ୍ଜା ଖାଉଥିବା ଲୋକମାନେ ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି ବୋଲି କୁହାଯାଏ ।

ଫ୍ୟାଟ ଓ ପ୍ରୋଟିନରେ ଭରପୂର ଖାଦ୍ୟ ସେବନ କରିବା ଫଳରେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଆମର ଶରୀରକୁ ଆଳସ୍ୟ କରିଦେଇଥାଏ । ଅଧିକ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଭୋଜନ କରିବା ଫଳରେ ରକ୍ତରେ ଆମିନୋ ଏସିଡ ଟ୍ରିପ୍ଟୋଫେନର ସ୍ତର ବଢ଼ିଯାଇଥାଏ । ଫଳରେ ନିଦ ହରମୋନ ସେରୋଟେନିନର ମାତ୍ରା ବୃଦ୍ଧି ପାଇଥାଏ । ତେବେ ଫୁଡ କୋମା ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ବୋଲି ହେଲଥ୍ ରିପୋର୍ଟରେ କୁହାଯାଇଛି । ଫୁଡ କୋମାକୁ ଆଜି ପର୍ଯ୍ୟନ୍ତ ବି ବୈଜ୍ଞାନିକମାନେ ସଠିକ ଭାବେ ବୁଝିପାରି ନାହାନ୍ତି । ମାତ୍ର କିଛି ସ୍ଥିତିରେ ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଖାଇବା ପରେ ଥକ୍କା ଲାଗିବା ଡାଇବେଟିସର ସଙ୍କେତ ହୋଇଥାଏ । ତେବେ ଫୁଡ କୋମାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ସେବନ କରିବା ଦରକାର । ଏଥିସହିତ ମଦ୍ୟପାନକୁ ସୀମିତ କରିବା, ଦୈନିକ ସମ୍ପୂର୍ଣ୍ଣ ନିଦ୍ରା ଯିବା ନିହାତି ଜରୁରୀ ବୋଲି କୁହାଯାଇଛି ।