fbpx

ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ: ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଥମ ପତ୍ନୀଙ୍କ ୨ପୁଅ….

ବାମରା (ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କହପାଣି ଗ୍ରମାର ବୃଷଭ ବେଯୋ(୪୮) ତାଙ୍କ ଦ୍ୱିତୀୟ ସ୍ତ୍ରୀ ମଞ୍ଜରୀ ବେହେରା(୪୦) ଓ ଏକ ମାତ୍ର ଝିଅ ଗୌରୀ(୧୩) ସହିତ ସ୍ଥାନୀୟ ଗୌଡ଼ପଡ଼ାଠାରେ ରୁହନ୍ତି । ସେ ଝାରସୁଗୁଡ଼ା ସମ୍ବଲପୁର ଓ  ବେଳେବେଳେ ଆଖପାଖ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରନ୍ତି । ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି  ଥିବାବେଳେ ଏଣେତେଣେ ବୁଲାବୁଲି କରି ରାତ୍ରି ପ୍ରାୟ ୧୦ଟା ପରେ ଘରକୁ ଫେରିଥିଲେ । ଶନିବାର ସକାଳୁ ତାଙ୍କର ସ୍ତ୍ରୀ ଉଠି ଘର କାମ କରୁଥିବାବେଳେ, ସେ ସେମିତି ଶୋଇ ରହିଥିଲେ, ବହୁ ସମୟ ଧରି ନଉଠିବାରୁ ମଞ୍ଜରୀ ପାଖ ପଡ଼ୋଶୀଙ୍କୁ ଖବର ଦେଇଥିଲେ । ଖବର ପ୍ରସାରିତ ହେବାପରେ ଗାଁ ଲୋକେ ରୁଣ୍ଡ ହୋଇ ହୋଇଥିଲେ । ଖବର ପାଇ ଗୋବିନ୍ଦପୁର ଥାନା ପୋଲିସ, କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବୃଷଭଙ୍କ ବେକରେ କିଛି କ୍ଷତ ଚିହ୍ନ ଥିବା ପୋଲିସ ଦେଖିବାକୁ ପାଇଥିଲା ।

ଏହା ସହିତ ଉପସ୍ଥିତ ଗ୍ରାମାବସୀ ବୃଷଭଙ୍କ ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଥିଲେ । ପରେ ପୋଲିସ ଅନୁସନ୍ଧାନ କଲାବେଳେ ମଞ୍ଜରୀଙ୍କ କଥାରେ ସାମଞ୍ଜସ୍ୟ ରହି ନଥିଲା । ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷ ମଞ୍ଜରୀ ହିଁ ତାଙ୍କ ସ୍ୱାମୀକୁ ହତ୍ୟା କରିଛି ବୋଲି ପାଟିତୁଣ୍ଡ କରିଥିଲେ । ତାକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ପୋଲିସ ମଞ୍ଜରୀକୁ ଥାନାକୁ ନେଇ ପଚରାଉଚରା କଲାପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ଖବରପାଇ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ରହୁଥିବା ମୃତକଙ୍କ ସାନଭାଇ ଭୂବନ ବେହେରା (୪୩)ଙ୍କ ଏତଲାକ୍ରମେ ଗୋବିନ୍ଦପୁର ପୋଲିସ କେସ୍‌ ନମ୍ବର ୬୭/୨୧ ଦଫା-୩୦୨/୩୪ ରୁଜୁକରି ତଦନ୍ତ ଜାରି ରଖିଛି । ମୃତକଙ୍କ ପ୍ରଥମ ପତ୍ନୀଙ୍କର ଥିବା ଦୁଇ ପୁଅ ହରି (୨୧) ଓ ଅରୁଣ(୧୭) ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି । ସମ୍ବଲପୁରରୁ ସାଇଣ୍ଟିଫିକ୍‌ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଛନ୍ତି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.