fbpx

ନୂଆ ଭାରିଆଣ୍ଟ JN.1 ବିପକ୍ଷରେ ଦିଆଯିବ କି ବୁଷ୍ଟର ଡୋଜ୍? କରୋନାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଆତଙ୍କ ସୃଷ୍ଟି କରୁଛି କରୋନା ମହାମାରୀ । ଦେଶର ବିଭିନ୍ନ ରାଜ୍ୟରେ ନୂଆ ଭାରିଆଣ୍ଟ ସଂକ୍ରମଣକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । କରୋନାର ଏହି ସଂକ୍ରମଣକୁ ନେଇ ସତର୍କ ରହିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଫେସ୍ ମାସ୍କ ଲଗାଇବା ସହ କରୋନାର ଅନ୍ୟାନ୍ୟ କଟକଣାକୁ ମାନି ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏହି ଭାରିଆଣ୍ଟରେ ଦେଶର ବିଭିନ୍ନ ରାଜ୍ୟରୁ ସଂକ୍ରମଣ ବୃଦ୍ଧି ପାଇବା ପରେ ଲୋକଙ୍କ ମନରେ ବି ଛନକା ପଶିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କରୋନାର ଏହି ଭାରିଆଣ୍ଟ ପାଇଁ ପୁଣିଥରେ ଲାଗିବ କି ବୁଷ୍ଟର ଡୋଜ୍ ଟୀକା?

ଭାରତ SARS-CoV-2 ଜିନୋମିକ୍ସ କଂସୋର୍ଟିୟମ(INSACOG)ର ମୁଖ୍ୟ ଡା. ଏନକେ ଆରୋରା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସବ୍-ଭାରିଆଣ୍ଟ ବିରୋଧରେ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଆବଶ୍ୟକ ହୋଇନାହିଁ । ତେବେ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତିମାନଙ୍କୁ ସତର୍କତାର ଆବଶ୍ୟକତା ରହିଛି । ଏମାନଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ଇମ୍ୟୁନିଟିକୁ କମଜୋର କରୁଥିବା କ୍ୟାନ୍ସର ତଥା ଅନ୍ୟାନ୍ୟ ଔଷଧ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ସତର୍କତା ଅବଲମ୍ବନ କରି ନାହାନ୍ତି, ଏବେଠାରୁ ହିଁ ସେମାନେ ଆଲର୍ଟ ହୋଇଯିବା ଆବଶ୍ୟକ । ତେବେ ବର୍ତ୍ତମାନ ବୁଷ୍ଟର ଡୋଜର ଆବଶ୍ୟକ ପଡ଼ିନାହିଁ ।

ଏହାପରେ ଡା. ଆରୋରା କହିଛନ୍ତି ଯେ, ଓମିକ୍ରନର ଅନେକ ସବ୍-ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ସେଗୁଡ଼ିକ ବିଶେଷ ବିପଦ ସୃଷ୍ଟି କରିନାହାନ୍ତି । ତେବେ ଏହି ଭାଇରସର ପ୍ରାୟ ୪୦୦ରୁ ଅଧିକ ସବ-ଭାରିଆଣ୍ଟ ଚିହ୍ନଟ କରି ସାରିଥିଲେ ବି ଏଥିମଧ୍ୟରୁ କୌଣସି ଭାଇରସ ବିପଜନକ ନୁହେଁ ବୋଲି କହିଛନ୍ତି ଡା. ଆରୋରା । ଏହାର ସଂକ୍ରମଣରେ କୌଣସି ବ୍ୟକ୍ତି ଗମ୍ଭୀର ସ୍ଥିତିରେ ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ତେଣୁ ବର୍ତ୍ତମାନ ସ୍ଥିତି ପାଇଁ ବୁଷ୍ଟର ଡୋଜ ଆବଶ୍ୟକ ହୋଇନାହିଁ । କେବଳ ସତର୍କତା ଅବଲମ୍ବନ କଲେ ଏହି ସବ୍-ଭାରିଆଣ୍ଟକୁ ମଧ୍ୟ ଏଡ଼ା ଦିଆଯାଇପାରିବ ବୋଲି କହିଛନ୍ତି ଭାରତ ଜିନୋମିକ୍ସ କଂସୋର୍ଟିୟମର ମୁଖ୍ୟ ଡା. ଏନକେ ଆରୋରା ।

 

Get real time updates directly on you device, subscribe now.