CHARIDHAM

ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବେ ଇମ୍ରାନ ଖାନ ! ଇସ୍ତଫା ଦେବାକୁ କହିଲେ ସେନା ପ୍ରମୁଖ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ପାକିସ୍ତାନ ସଂସଦରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବାକୁ ବାଚସ୍ପତି ଅନୁମତି ଦେବେ ବୋଲି ଆଶା କରୁଛନ୍ତି ବିରୋଧୀ ଦଳ। ବିରୋଧୀ ଦଳ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ବାଚସ୍ପତି ପ୍ରସ୍ତାବ ଉପସ୍ଥାପନ କରିବାକୁ ଅନୁମତି ନଦିଅନ୍ତି ତେବେ ସାଂସଦମାନେ ସଚିବାଳୟରେ ଧାରଣା ଦେବେ। ଯଦି ସୋମବାର ଅନାସ୍ଥା ପ୍ରସ୍ତାବ ରଖିବାକୁ ବାଚସ୍ପତି ଅନୁମତି ଦିଅନ୍ତି ତେବେ ମାର୍ଚ୍ଚ ୨୮ରେ ଏହା ଉପରେ ଭୋଟିଂ ହେବ।

ବିରୋଧୀଙ୍କ ଏହି ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ରାଜନୈତିକ ଚାପ ବଢିବାରେ ଲାଗିଛି। ଏହା ମଧ୍ୟ କୁହାଯାଉଛି ଯେ, ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ଵା, ଡିଜି ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ ସହିତ ଚାରି ପାକିସ୍ତାନୀ ସେନାର ଜେନେରାଲ ଓଆଇସି-ଏଫଏମ ସମ୍ମିଳନୀ ପରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ କହିଛନ୍ତି।

ପାକିସ୍ତାନୀ ସେନା ଏହା ଆଶା କରୁଛନ୍ତି ଯେ, ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିଦେବା ଉଚିତ୍ କାରଣ ଲଗାତାର ରାଜନୈତିକ ଅସ୍ଥିରତା ପାକିସ୍ତାନ ହିତ ପାଇଁ ଠିକ୍ ନୁହେଁ। ଅପରପକ୍ଷେ ପାକିସ୍ତାନ ପ୍ରଥମରୁ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ୟୁକ୍ରେନ ସଙ୍କଟ ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ଇମ୍ରାନ ଖାନଙ୍କ ଆଭିମୁଖ୍ୟରେ ସେଠାକାର ସେନା ଅସନ୍ତୁଷ୍ଟ ଅଛନ୍ତି। ସେନା ଇମ୍ରାନ ଖାନଙ୍କୁ ପଦ ଛାଡିବାକୁ କହିବା ପରେ ଏବେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି ବିରୋଧୀ ଦଳ ନେତା।

ଇସଲାମାବାଦର ରାଜନୈତିକ ମହଲରୁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେନେରାଲ ବାଜଓ୍ଵାଙ୍କୁ ମଧ୍ୟ ବରଖାସ୍ତ କରି ପାରନ୍ତି। କାରଣ ଏହା ପୂର୍ବରୁ ପାକିସ୍ତାନର ରାଷ୍ଟ୍ରପତି ଜୁଲଫିକାର ଅଲ୍ଲୀ ଭୁଟ୍ଟୋ ୧୯୭୨ ମାର୍ଚ୍ଚରେ କାମଚଳା ସେନା ପ୍ରମୁଖ ଜେନେରାଲ ଗୁଲ ହସନ ଖାନ ଏବଂ ବାୟୁ ସେନା ପ୍ରମୁଖ ଏୟାର ମାର୍ଶଲ ଅବଦୁଲ ରହିମ ଖାନଙ୍କୁ ବରଖାସ୍ତ କରିଥିଲେ। ଏହାକୁ ଆଧାର କରି ଇମ୍ରାନ ସେନା ପ୍ରମୁଖ ବାଜଓ୍ଵାଙ୍କୁ ବରଖାସ୍ତ କରି ପାରନ୍ତି। ମାତ୍ର ଏମିତି କରିବା ଇମ୍ରାନଙ୍କ ପକ୍ଷେ ବହୁତ କଷ୍ଟକର।