ଭୁବନେଶ୍ୱର: ସର୍ଟ ଭିଡିଓ ପ୍ଲାଟଫର୍ମ ଟିକ୍ ଟକ୍ ସମ୍ପର୍କରେ ଆସିଲା ବଡ଼ ଅପଡେଟ୍ । କିଛି ଦିନ ପୂର୍ବରୁ ଭାରତରେ ଟିକ୍ ଟକ୍ ଫେରିବା ନେଇ କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ଟିକ୍ ଟକ୍ ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କୌଣସି ଯୋଜନା କରିନାହାଁନ୍ତି। ଆପଣଙ୍କୁ କହି ରଖୁଛୁ ଯେ କିଛି ଦିନ ପୂର୍ବରୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ, ଟିକ୍ ଟକ୍ ୱେବସାଇଟ୍ ଭାରତରେ ଖୋଲିଥିଲା। ଏଥିରୁ ଲୋକମାନେ ଅନୁମାନ କରିଥିଲେ ଯେ ଭାରତରେ ଟିକ୍ ଟକ୍ ଉପରୁ ପ୍ରତିବନ୍ଧକ ଖୁବ୍ ଶୀଘ୍ର ହଟିପାରେ।
ଗତ ମାସରେ, ଭାରତରେ ଅନେକ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ନେଟୱାର୍କରେ ଟିକ୍ ଟକ୍ ର ୱେବସାଇଟ୍ ଲଗ ଇନ କରି ପାରୁଥିଲେ । ଏହି ବୈଷୟିକ ତ୍ରୁଟି ଯୋଗୁଁ, ଅନେକ ଲୋକ ଅନୁମାନ କରିବା ଆରମ୍ଭ କରିଥିଲେ ଯେ ଏହି ପୋର୍ଟାଲ୍ ଖୁବ୍ ଶୀଘ୍ର ଭାରତରେ ଲାଇଭ୍ ହେବ ଏବଂ ଏହା ଉପରେ ଲାଗି ରହିଥିବା ପ୍ରତିବନ୍ଧକ ଉଠାଇ ଦିଆଯିବ। ଏବେ ସରକାର ଏ ବିଷୟରେ ନିଜର ମତ ସ୍ପଷ୍ଟ କରିଛନ୍ତି। କୌଣସି ମତେ ଭାରତରେ ଏବେ ଟିକ୍ ଟକ୍ ଉପରୁ ବ୍ୟାନ ହଟାଯିବ ନାହିଁ ବୋଲି ଖୁଲମଖୁଲା କହିଦେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସୂଚନାମୁତାବକ ଜାତୀୟ ସୁରକ୍ଷା ଏବଂ ତଥ୍ୟ ଗୋପନୀୟତାକୁ ପ୍ରାଧାନ୍ୟ କରି ଭାରତ ଟିକ୍ ଟକ୍ ସମେତ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେବେଠାରୁ ଏହା ନିଷେଧ କରାଯାଇଛି। ଏହା ଭାରତରେ ବହୁତ ଲୋକପ୍ରିୟ ହୋଇଯାଇଥିଲା। ସରକାରଙ୍କ ଯୁକ୍ତି ଥିଲା ଯେ ଏହି ଆପ୍ଗୁଡ଼ିକ ବ୍ୟବହାରକାରୀଙ୍କ ତଥ୍ୟ ଚୀନ୍ର ସର୍ଭରକୁ ପଠାଉଥିଲେ। ଭାରତ ସରକାର କମ୍ପାନୀଠାରୁ ଦାବି କରିଥିଲେ ଯେ ଭାରତର ତଥ୍ୟ କେବଳ ଭାରତରେ ସଂରକ୍ଷଣ କରାଯିବା ଉଚିତ। ଏହି ସର୍ତ୍ତକୁ ଗ୍ରହଣ ନକରିବା ପାଇଁ ଭାରତ ସରକାର ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ପ୍ରତିବନ୍ଧକ ପରେ, ଆପଲ ଏବଂ ଗୁଗଲ ଭାରତୀୟ ସର୍ଭରରୁ ଏହି ଆପ୍ଗୁଡ଼ିକୁ ହଟାଇ ଦେଇଥିଲେ।