fbpx

ଟି-୨୦ ସିରିଜ ଖେଳିବେ କି ଭାରତ-ପାକିସ୍ତାନ? Bilateral Seriesକୁ ନେଇ ସ୍ପଷ୍ଟ କଲା ପିସିବି

ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି-୨୦୨୫ରେ ଭାରତ ସାମିଲ ହେବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟ ପରେ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ପାକିସ୍ତାନ ଟିମ ଇଣ୍ଡିଆକୁ ଆମନ୍ତ୍ରଣ କରିବାରେ ବୋଲି ଜାଣିବାକୁ ମିଳିଥିଲା । ଭାରତ-ପାକିସ୍ତାନ ମଧ୍ୟରେ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ପାକିସ୍ତାନ ଆମନ୍ତ୍ରଣ କରିପାରେ ବୋଲି କୁହାଯାଉଥିଲା । କିନ୍ତୁ ଏ ନେଇ ବର୍ତ୍ତମାନ ପାକିସ୍ତାନ ବୋର୍ଡ ତରଫରୁ ପ୍ରତିକ୍ରିୟା ଆସିଛି । ବର୍ତ୍ତମାନ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ନେଇ କୌଣସି ପ୍ରସ୍ତାବ ରଖିନଥିବା ସ୍ପଷ୍ଟ କରିଛି ପିସିବି ।

ଚଳିତବର୍ଷ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫିର ଆୟୋଜକ ରହିଥିବା ବେଳେ ଭାରତ ପାକିସ୍ତାନ ଗସ୍ତ କରିବା ନେଇ କୌଣସି ସ୍ପଷ୍ଟତା ନାହିଁ । ଭାରତ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିବା ପରେ ହିଁ ପାକିସ୍ତାନ ଗସ୍ତ ବିଷୟରେ ଚିନ୍ତା କରାଯିବ ବୋଲି କହିଛି ବିସିସିଆଇ । ତେବେ ଏ ନେଇ ପିସିବିର ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଏଭଳି କୌଣସି ପ୍ରସ୍ତାବ ବିଚାରାଧୀନ ରହିନାହିଁ । କାରଣ ବର୍ତ୍ତମାନ ସମୟରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ଆମ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇ ରହିଛି । ଏହାବ୍ୟତୀତ ଦଳର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମ ମଧ୍ୟ ଖୁବ ବ୍ୟସ୍ତବହୁଳ ରହିଥିବା ପିସିବି ପକ୍ଷରୁ କୁହାଯାଇଛି ।

ଆହୁରି ମଧ୍ୟ କୁହାଯାଇଛି ଯେ, କଲମ୍ବୋରେ ଆଇସିସି ବୈଠକରେ ପାକିସ୍ତାନ ପକ୍ଷରୁ ୨ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚମ୍ପିଆନ୍ସ ଟ୍ରଫି ପାଇଁ ବଜେଟ ମଞ୍ଜୁରୀ କରିବା ସହ ଟୁର୍ଣ୍ଣାମେଣ୍ଟରେ ଭାରତର ସାମିଲ ହେବାକୁ ନେଇ ଆଇସିସି ଏବଂ ବିସିସିଆଇ ତରଫରୁ ସ୍ପଷ୍ଟୋକ୍ତି ହାସଲ କରିବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ରହିଥିଲା । ତେବେ ବର୍ତ୍ତମାନ ପାଇଁ ପାକିସ୍ତାନର ପ୍ରମୁଖ ଦାୟିତ୍ୱ ଚମ୍ପିଆନ୍ସ ଟ୍ରଫି ରହିଛି । ତେଣୁ ଭାରତ ସହ ଦ୍ୱିପାକ୍ଷିକ ସିରିଜ ଖେଳିବା ଉପରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ । ତେବେ କିଛି ଦିନ ପୂର୍ବରୁ ବିଦେଶୀ ଷ୍ଟାଡିୟମରେ ଟି-୨୦ ସିରିଜ କରିବା ପାଇଁ ପିସିବି ମୁଖ୍ୟ ନକବୀ ବିସିସିଆଇ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.