fbpx

ଏକାଠି ଖେଳିବେ କି କାର୍ତ୍ତିକ ଏବଂ ପନ୍ତ? ପାକିସ୍ତାନ ବିପକ୍ଷରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ରୋହିତ ସେନା । ତେବେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳର ପ୍ଲେଇଙ୍ଗ-୧୧କୁ ନେଇ ଜାରି ରହିଛି ଚର୍ଚ୍ଚା । ବିଶେଷ କରି ଭାରତୀୟ ଦଳରେ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ଉଭୟଙ୍କ ମଧ୍ୟରୁ ପାକିସ୍ତାନ ବିପକ୍ଷରେ କିଏ ସୁଯୋଗ ପାଇବେ ନା ଉଭୟଙ୍କୁ ରୋହିତ ସ୍ଥାନ ଦେବେ ସେ ନେଇ ଆକଳନ କରାଯାଉଛି ।

ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ବିଶ୍ୱକପରେ ଦିନେଶ କାର୍ତ୍ତିକଙ୍କ ସ୍ଥାନ ପକ୍କା ଅନୁଭବ ହେଉଛି । ତେବେ କିଛିଟା କଥାକୁ ଧ୍ୟାନ ଦେଲେ ଋଷଭ ପନ୍ତ ମଧ୍ୟ ପାକିସ୍ତାନ ବିପକ୍ଷରେ ସୁଯୋଗ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହାର ଏକ ସରଳ ସମାଧାନ ବାହାର କରିଛନ୍ତି ସୁନୀଲ ଗାଭାସ୍କର । ଗାଭାସ୍କର କହିଛନ୍ତି ଯେ, ଯଦି ବିଶ୍ୱକପରେ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ବୋଲର ଭାବେ ଦଳରେ ସ୍ଥାନ ପାଆନ୍ତି, ତେବେ ଋଷଭ ପନ୍ତ ଏହି ଦଳର ସଦସ୍ୟ ହୋଇପାରନ୍ତି । ତେବେ ଯଦି ଭାରତ ବିଶ୍ୱକପରେ ୬ ଜଣ ବୋଲରଙ୍କୁ ନେଇ ଖେଳିବା ପାଇଁ ଚିନ୍ତା କରେ ପନ୍ତ ଦଳରୁ ବାଦ ପଡିବାର ଅଧିକ ସମ୍ଭାବନା ରହିଛି ।

ଭାରତ ପାଇଁ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା କମ ଥିବାରୁ ପନ୍ତଙ୍କୁ ମଧ୍ୟ ଦଳରେ ସୁଯୋଗ ଦେବା ପାଇଁ ଚିନ୍ତା କରିପାରନ୍ତି ରୋହିତ । କିନ୍ତୁ ଏଥିପାଇଁ ଦଳକୁ ମାତ୍ର ୫ଜଣ ବୋଲରଙ୍କ ସହ ଖେଳିବାକୁ ପଡିବ । ଯାହା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେଥିପାଇଁ ପନ୍ତ ଏବଂ କାର୍ତ୍ତିକ ଉଭୟଙ୍କୁ ଏକା ସାଙ୍ଗରେ ଖେଳିବା କଷ୍ଟକର ଏବଂ ଏକ ବିପଦପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ସୁନୀଲ ଗାଭାସ୍କର ।

Get real time updates directly on you device, subscribe now.