fbpx

ପାରିବାହିକ ବିବାଦ ଅଧାରେ ଅଟକିଛି: ନ୍ୟାୟ ପାଇଁ ଲଢ଼େଇ କରୁଥିବା ମହିଳାଙ୍କ ପାଇଁ ପ୍ରେରଣା ପାଲଟି ଗଲେଣି ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ । ଏଇ ନାମଟି ଆଜି ଯେମିତି ସାରା ଓଡ଼ିଶାରେ ଘରେ ଘରେ ପରିଚିତ । ବିଶେଷ କରି ଅଧିକାଂଶ ଅବହେଳିତା ମହିଳାମାନେ ବ୍ରହ୍ମପୁରର ତପସ୍ୱିନୀ ଦାଶଙ୍କୁ ଆଜି ଆଦର୍ଶ ଭାବେ ଧରି ନେଇଛନ୍ତି । ନ୍ୟାୟ ପାଇବା ପାଇଁ ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତ ସାହୁଙ୍କ ଘର ସମ୍ମୁଖରେ ମାସ ମାସ ଧରି ଧାରଣାରେ ବସିବା ସହ କୋର୍ଟରେ ଆଇନ ଲଢ଼େଇ ଜାରି ରଖିଛନ୍ତି । ଏବେ ଏହି ଦମ୍ପତିଙ୍କ ମକଦ୍ଦମା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ତପସ୍ୱିନୀ ନାରୀଙ୍କ ମହଲରେ ଏକ ଆଇକନ୍ ପାଲଟି ଯାଇଛନ୍ତି । ତପସ୍ୱିନୀଙ୍କୁ ଅନୁସରଣ କରି ରାଜ୍ୟର ଅନେକ ଅବେହେଳିତା ନାରୀ ଆଜି ଦାଣ୍ଡକୁ ବାହାରି ନ୍ୟାୟ ପାଇଁ ନିଜର ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଉଛନ୍ତି ।

ତେବେ ଆଗକୁ ତପସ୍ୱିନୀ ନ୍ୟାୟ ପାଇବେ କି ନା ତାହା ତ ଅଲଗା କଥା । ମାତ୍ର ଯେଉଁ ଭଳି ଢଙ୍ଗରେ ତପସ୍ୱିନୀ ମିଡ଼ିଆକୁ ସାମ୍ନା କଲେ, ଯେଉଁଭଳି ନ୍ୟାୟ ପାଇଁ ତପସ୍ୟା କଲେ, ତାହା ଆଜି ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ତେବେ ଏଭଳି ସ୍ଥିତିରେ ତପସ୍ୱିନୀଙ୍କୁ ନେଇ କିଛି ମିଡ଼ିଆରେ ଏକ ଖବର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଅବଶ୍ୟ ଏହି ଖବରଟି କେତେ ସତ ଆଉ କେତେ ମିଛ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ଆଗକୁ ଆସୁଛି ପୌର ନିର୍ବାଚନ । ତେଣୁ ଏଭଳି ସ୍ଥିତିରେ ପ୍ରତ୍ୟେକ ରାଜନୈତିକ ଦଳ ନିଶ୍ଚିତ ଭାବେ ଶିକ୍ଷିତା, ଆଗଧାଡ଼ିର ମହିଳା ନେତ୍ରୀଙ୍କୁ ଖୋଜିବେ । ତେଣୁ ଏ ପରିପ୍ରେକ୍ଷୀରେ ତପସ୍ୱିନୀ ନିଶ୍ଚିତ ଭାବେ ସମସ୍ତଙ୍କ ଆଖି ଆଗକୁ ଚାଲି ଆସିବେ । କାରଣ ତପସ୍ୱିନୀ ନିକଟରେ ସଂଘର୍ଷ ମାଧ୍ୟମରେ ନିଜର ପରାକାଣ୍ଠା ଜନମାନସକୁ ଦେଖାଇ ସାରିଛନ୍ତି । ହୁଏତ କୌଣସି ରାଜନୈତିକ ଦଳ ତାଙ୍କୁ ବ୍ରହ୍ମପୁର ପୌର ନିର୍ବାଚନରେ ପ୍ରାର୍ଥୀ କରିପାରନ୍ତି, ଏକଥା ଏଡ଼ାଇ ଦେଇ ହେବ ନାହିଁ । ତେବେ ତପସ୍ୱିନୀର ରାଜନୀତିରେ ଆଗ୍ରହ ଅଛି ନା ନାହିଁ ସେନେଇ ତାଙ୍କର କୌଣସି ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

Get real time updates directly on you device, subscribe now.