fbpx

ମୃତ୍ୟୁକୁ ଅପେକ୍ଷା କରାଇ ଦେଲା ମାଆର ସ୍ନେହ: ସନ୍ତାନକୁ ଜନ୍ମ ଦେବା ପରେ ଆଖି ବୁଜିଲେ ମହିଳା

ବାଜିଲା ଗୁଳି, କିନ୍ତୁ ଛୁଇଁ ପାରିଲାନି ମୃତ୍ୟୁ । ଗୋଟିଏ ନିରୀହ ନିଷ୍ପାପ ଜୀବନକୁ ଧରାପୃଷ୍ଠରେ ଆଣିବା ପାଇଁ ଅପେକ୍ଷା କରିଛନ୍ତି କାଳ ଦେବତା । କିନ୍ତୁ ପୃଥିବୀରେ ସନ୍ତାନର ପ୍ରଥମ ସ୍ପର୍ଶ ପରେ ହିଁ ଆଖି ବୁଜିଛନ୍ତି ଜଣେ ମହିଳା । ସତେ ଯେମିତି ପୁଅକୁ ଜନ୍ମ ଦେବାକୁ ଯମ ଦେବତାଙ୍କ ପାଖରୁ କିଛି ସମୟ ଆଣିଥିଲେ । ଏ ଘଟଣା ଶୁଣି ସମସ୍ତଙ୍କ ଆଖି ଲୁହରେ ଜକେଇ ଆସିଛି ।

ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ଭାବି ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିନ୍ତୁ ମୃତ୍ୟୁ ପୂର୍ବରୁ ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି ମହିଳା । ତେବେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଗମ୍ଭୀର ରହିଛି । ପ୍ରାଣ ହରାଇଥିବା ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜସ ମାର୍ଗନ ହିଥର । ତାଙ୍କ ସହ ପାର୍ଟନର ୟାହମୋଲ ମୋଣ୍ଟାଜ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ୭ ମାସର ଗର୍ଭବତୀ ଥିବା ବେଳେ ଉଭୟ ଦମ୍ପତ୍ତିଙ୍କୁ ଗୁଳି ଲାଗିଥିଲା । ଆହତ ଅବସ୍ଥାରେ ସେମାନଙ୍କୁ ଆମେରିକାର ବାଲଟିମୋର ନିକଟସ୍ଥ ଜନ୍ସ ହାପକିନ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମାର୍ଗନଙ୍କ ନିକଟରେ ଅଧିକ ସମୟ ନଥିବାରୁ ତାଙ୍କର ଇମରଜେନ୍ସି ଡେଲିଭରୀ କରାଇଥିଲେ ଡାକ୍ତର । କିନ୍ତୁ ପୁତ୍ର ସନ୍ତାନକୁ ଜନ୍ମ ଦେବା ମାତ୍ରେ ମାର୍ଗନ ଆଖି ବୁଜିଛନ୍ତି । ଏହି ଘଟଣା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା, ମାର୍ଗନ ସନ୍ତାନକୁ ପୃଥିବୀର ଆଲୋକ ଦେଖାଇବା ପାଇଁ ମୃତ୍ୟୁ ମଧ୍ୟ ଅଟକାଇ ଦେଇଛନ୍ତି ।

ଗତ ଗୁରୁବାର ଉଭୟ ଦମ୍ପତ୍ତି କାରରେ ଯାଉଥିବା ସମୟରେ ହଠାତ ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିଚାଳନା କରି ଫେରାର ହୋଇଯାଇଥିବା କହିଛନ୍ତି କମିଶନର ମାଇକଲ ହୈରିସନ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ । ଏହି ମାସ ୧୩ ହତ୍ୟା ହୋଇତିବା ଜାଣିବାକୁ ମିଳିଛି । ତେବେ ୨୭ ଗୁଳିଚାଳନା ମାମଲା ସାମନାକୁ ଆସିଥିଲେ ବି ଆକ୍ରମଣରେ କେହି ପ୍ରାଣ ହରାଇ ନଥିଲେ ।

Get real time updates directly on you device, subscribe now.