ଲକ୍ଷ୍ନୌ: ଅଧିକାଂଶ ବ୍ୟକ୍ତି ରେଳଯାତ୍ରା କରିଥାନ୍ତି । ରେଳଯାତ୍ରା ସମୟରେ ବହୁତ ଠେଲା ପେଲା ହୋଇଥାଏ । ରେଳ ଜନିତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯାତ୍ରୀମାନେ ସତର୍କତା ଅବଲମ୍ବନ କରିଥାନ୍ତି । ବେଳେ ବେଳେ ଦୁର୍ଘଟଣାକୁ ଅଟକାଇବା ପ୍ରୟାସରେ ଲୋକଙ୍କ ଛୋଟ ଭୁଲ ପାଇଁ ଏହା ଆହୁରି ବଢ଼ିଯାଏ । ନିକଟରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପିଲିଭୀତରେ । ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଛୋଟ ଝିଅକୁ କୋଳରେ ଧରି ଟ୍ରେନରୁ ଡେଇଁ ପଡ଼ିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ପୋଲିସ ସୂତ୍ରରୁ ପ୍ରକାଶ ଜଣେ ମହିଳା(ସତ୍ୟବତୀ) ନିଜ ପୁଅ ନିଖିଲ(୯) ଏବଂ ଝିଅ ସେଜଲ(୫) ସହ ଟ୍ରେନ୍ ଯେଗେ ବିସଲପୁରରୁ ଶାହଜହାଁପୁର ଯାଉଥିଲେ । ଟ୍ରେନଟି ଚିନି କଳ ନିକଟରେ ଟ୍ରେନଟି ପହଞ୍ଚିବା ପରେ ଟ୍ରେନ୍ କୋଚ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ପୁଅ ନିଖିଲ ଭାରସାମ୍ୟ ହରାଇ ଟ୍ରେନରୁ ପଡ଼ିଯାଇଥିଲା । ଏହା ଦେଖି ତା’ ମା ଘାବରାଇ ଯାଇଥିଲା । ସେତେବେଳେ ବୁଦ୍ଧି ଯେମିତି ବାଟବଣା ହୋଇଯାଇଥିଲା । ନିଜ ପୁଅକୁ ବଞ୍ଚାଇବା ଚକ୍କରରେ ସେ ନିଜ ଝିଅକୁ କୋଳରେ ଧରି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମାଆ, ପୁଅ ଓ ଝିଅଙ୍କୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେମାନଙ୍କୁ ମେଡିକାଲ କଲେଜ ରେଫର କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ଏହି ଦୁର୍ଘଟଣା ଯୋଗୁଁ ଟ୍ରେନଟି ପ୍ରାୟ ଅଧ ଘଣ୍ଟା ପାଇଁ ଅଟକି ରହିଥିଲା । ତିନି ଜଣ ଗୁରୁତରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।