fbpx

ଛେଳି ପାଇଁ ବି ଟ୍ରେନ ଟିକେଟ କାଟିଲେ ଗରିବ ମହିଳା, ୟୁଜର କହିଲେ ଭାରତୀୟ ରେଳର ଆଇକନ ହେବା ଯୋଗ୍ୟ

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନରେ ଯାତ୍ରା କରିବା ହେଉଛି ସବୁଠାରୁ ସହଜ ଓ ସରଳ ମାଧ୍ୟମ । ଯାତ୍ରା ସମୟରେ ଲୋକମାନେ ଟ୍ରେନରେ ବିଭିନ୍ନ ସାମଗ୍ରୀ ସହିତ ପଶୁ ପକ୍ଷୀଙ୍କୁ ବି ନିଜ ସହ ନେଇ ଯାଇଥାନ୍ତି । କିନ୍ତୁ ଏଠାରେ ଜଣେ ମହିଳା ଟ୍ରେନରେ ଯାତ୍ରା କରିବା ବେଳେ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଅନ୍ୟମାନଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଏକ ଟ୍ରେନର ଜେନେରାଲ୍ କୋଚ୍‌ରେ ଜଣେ ମହିଳା ନିଜ ଛେଳି ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଛିଡା ହୋଇ ଯାତ୍ରା କରୁଛନ୍ତି । ଛେଳିଟିକୁ ମହିଳା ଜଣକ ନିଜ ହାତରେ ଧରିଛନ୍ତି । କିଛି ସମୟ ପରେ ଟିଟିଇ ଯାତ୍ରୀଙ୍କର ଟିକେଟ ଚେକ୍ କରିବାକୁ ପହଞ୍ଚୁଛନ୍ତି । ଏହି ସମୟରେ ତାଙ୍କ ନଜର ସେହି ମହିଳା ଓ ତାଙ୍କ ଛେଳି ଉପରେ ପଡୁଛି । ସେ ମହିଳାଙ୍କୁ ତାଙ୍କ ଟିକେଟ ଦେଖାଇବାକୁ କହୁଛନ୍ତି । ମହିଳା ଜଣକ ନିଜର, ନିଜ ସହଯାତ୍ରୀଙ୍କର ଓ ଛେଳି ପାଇଁ କରିଥିବା ଟିକେଟ ଟିଟିଇଙ୍କୁ ଦେଖାଉଛନ୍ତି । ମହିଳାଙ୍କ ଏପରି କାର୍ଯ୍ୟକୁ ଦେଖି ଟିଟିଇ ହସି ଦେବା ସହ ତାଙ୍କ ସରଳତା ଓ ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି ।

ଏବେ ମହିଳାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ଛଳ କପଟଶୂନ୍ୟ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହି ମହିଳା ଭାରତୀୟ ରେଲୱେର ଆଇକନ୍ ହେବା ଉଚିତ । ତାଙ୍କ ସଚ୍ଚୋଟତା ସମସ୍ତଙ୍କ ପାଇଁ ପ୍ରେରଣା ହେଉ ।

Get real time updates directly on you device, subscribe now.