ଲୋଭି ବିରାଟ କୋହଲି! ନିଜ ରେଷ୍ଟୁରାଣ୍ଟରେ ୨୦ ଟଙ୍କିଆ ମକାକୁ ୫୦୦ରେ ବିକୁଛନ୍ତି, ରାଗିଲେ ୟୁଜର୍ସ

ୱାନ8 କମ୍ୟୁନକୁ ନେଇ ଜୋର ଧରିଛି ଚର୍ଚ୍ଚା । ଛାତ୍ରୀଙ୍କ ପୋଷ୍ଟ ପାଇଁ ତେଜୁଛି ସମାଲୋଚନା ।

ହାଇଦ୍ରାବାଦ: ବଜାରରେ ମିଳୁଥିବା ସିଝା ମକା ଦାମ୍ ରହିଛି ୨୦ ଟଙ୍କା । ଯାହାକୁ ପିଲାଠାରୁ ବୁଢ଼ା ସଭିଏଁ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ସିଝା ମକା ଏବଂ କ୍ରିକେଟ୍ କିଙ୍ଗ ବିରାଟକୁ ନେଇ ଏକ ଖବର ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

ହାଇଦ୍ରାବାଦର ଜଣେ ଛାତ୍ରୀ ନିକଟରେ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ‘ୱାନ୍8 କମ୍ୟୁନ୍’କୁ ଖାଇବା ପାଇଁ ଯାଇଥିଲେ । ଯେଉଁଠାରେ ସ୍ନେହା ନାମକ ଛାତ୍ରୀ ସିଝା ମକାର କିଛି ସ୍ଲାଇସ୍ ବା ଖଣ୍ଡ ଖାଇଥିଲେ । ଆଉ ଏହି ଡିସ୍ ପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡ଼ିଥିଲା । ଯାହାର ଏକ ଫଟୋ ମଧ୍ୟ ସ୍ନେହା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।

ପୋଷ୍ଟ ଭାଇରାଲ: ଏହି ଫଟୋକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସ୍ନେହା ପେରି ପେରି କର୍ନ ନାମରେ ଏକ ବ୍ୟଞ୍ଜନ ଅର୍ଡର କରିଥିଲେ । ଯାହାକୁ ସାଦା ଭାଷାରେ ଆମେ ସିଝା ମକା କହିପାରିବା । ବିରାଟଙ୍କ ରେଷ୍ଟୁରାଣ୍ଟରେ ସିଝା ମକାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ଗାର୍ଲିକ୍ ଅଏଲିଂ ସାଙ୍ଗକୁ ତା’ ଉପରେ ସାମାନ୍ୟ କଟା ପିଆଜ ଷଣ୍ଢା ପକାଇ ସର୍ଭ କରାଯାଇଥିଲା ।

ସ୍ନେହାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଘୁରିବୁଲୁଥିବାବେଳେ ଏକ୍ସ ୟୁଜର ଏଥିରେ ମଜାଳିଆ କମେଣ୍ଟ ଦେଇଛନ୍ତି । ଆଉ କିଛି ବିରାଟଙ୍କ ଉପରେ ରାଗିଯାଇଥିବା ମଧ୍ୟ କମେଣ୍ଟରେ ଜଣାପଡ଼ୁଛି । ଉଭୟ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ବିରାଟଙ୍କ ୱାନ8 କମ୍ୟୁନର ସମାଲୋଚନା ଚାଲିଥିବାବେଳେ କିନ୍ତୁ, ଏ ନେଇ ବିରାଟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।